ତିନି ଦିନ ଧରି ଚାଲିଛି ଆନ୍ଦୋଳନ; ଅଧିକାରୀଙ୍କ ହସ୍ତକ୍ଷେପ ଓ ଜମିର ତଦନ୍ତ ଦାବି
ରାଜକନିକା, (ଓଡ଼ିଶ୍ରୀ ସମ୍ବାଦ): ସରକାରୀ ଜମି ଜବରଦଖଲ ଓ ଧୀରେ ଧୀରେ ବ୍ୟକ୍ତିଗତ ଖାତାକୁ ହସ୍ତାନ୍ତର ହେଉଥିବା ଅଭିଯୋଗକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ତହସିଲ କାର୍ଯ୍ୟାଳୟରେ ଗୁଆଳିଗାଁ ଗ୍ରାମବାସୀଙ୍କ ଆନ୍ଦୋଳନ ତୀବ୍ର ହୋଇଛି। ଦୀର୍ଘ ତିନି ଦିନ ଧରି ଧାରଣା ଦେବା ପରେ ଆଜି ସକାଳେ ଗ୍ରାମବାସୀ ତହସିଲ କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ପ୍ରତିବାଦ ଜଣାଇଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଗୁଆଳି ଗାଁ ମୌଜାରେ ଥିବା ସମସ୍ତ ସରକାରୀ ଜମି ଜବରଦଖଲ ହେବା ସହ ପର୍ଯ୍ୟାୟକ୍ରମେ ବ୍ୟକ୍ତିଗତ ଖାତାକୁ ଯାଉଥିବା ଭଳି ଗୁରୁତର ଅନିୟମିତତା ଘଟୁଛି। ଏହି ଅଭିଯୋଗ ନେଇ ଗ୍ରାମବାସୀ ଗତ ଅକ୍ଟୋବର ୨୯ ତାରିଖରେ କନିକା ତହସିଲଦାର ଓ ଜିଲ୍ଲା ପ୍ରଶାସନକୁ ଧାରଣା ସମ୍ପର୍କରେ ଆଗୁଆ ଅବଗତ କରାଇଥିଲେ।
ତେବେ ଅଭିଯୋଗର ସମାଧାନ ପାଇଁ କୌଣସି ଅଧିକାରୀ ଆନ୍ଦୋଳନସ୍ଥଳକୁ ଆସି ଆଲୋଚନା କରିନଥିବା ଗ୍ରାମବାସୀ କହିଛନ୍ତି। ଏହାକୁ ନେଇ ଗତ ତିନି ଦିନ ଧରି ତହସିଲ କାର୍ଯ୍ୟାଳୟ ପରିସରରେ ଧାରଣା ଜାରି ରହିଥିଲା। ତଥାପି ପ୍ରଶାସନ ପକ୍ଷରୁ ଆଲୋଚନା ହୋଇନଥିବା ଅଭିଯୋଗ କରି ଆଜି ଗ୍ରାମବାସୀ ମୁଖ୍ୟ ଫାଟକରେ ତାଲା ପକାଇଥିଲେ।
ଫାଟକରେ ତାଲା ପଡ଼ିଥିବାରୁ ତହସିଲ କାର୍ଯ୍ୟାଳୟର କର୍ମଚାରୀମାନେ ଭିତରକୁ ଯାଇନପାରି ବାହାରେ ଅପେକ୍ଷା କରି ରହିଥିଲେ। ଏହି ସମୟରେ ତହସିଲଦାରଙ୍କ ଡ୍ରାଇଭର ଗୁଜି ମହାପାତ୍ର କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରିବାରୁ ଗ୍ରାମବାସୀଙ୍କ ସହ ତାଙ୍କର ବଚସା ହୋଇଥିବା ଜଣାପଡ଼ିଛି। ପରେ ସେ କ୍ଷମା ମାଗି ସେଠାରୁ ଫେରିଯାଇଥିବା ଘଟଣାସ୍ଥଳରେ ଉପସ୍ଥିତ ଲୋକେ କହିଛନ୍ତି।
ଗ୍ରାମବାସୀଙ୍କ ମୁଖ୍ୟ ଦାବି ହେଉଛି, ଗୁଆଳି ଗାଁ ମୌଜାର ସମସ୍ତ ସରକାରୀ ଜମିର ରେକର୍ଡ ଯାଞ୍ଚ କରାଯାଉ, ଜବରଦଖଲ ଅଭିଯୋଗର ନିରପେକ୍ଷ ତଦନ୍ତ ହେଉ ଏବଂ ଯଦି କୌଣସି ବେଆଇନ ଭାବେ ଜମି ହସ୍ତାନ୍ତର ହୋଇଥାଏ, ତେବେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯାଉ।
ଏହି ଘଟଣାକୁ ନେଇ ରାଜକନିକା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ତେବେ ଗ୍ରାମବାସୀଙ୍କ ଅଭିଯୋଗ ଉପରେ ତହସିଲ ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିଥିବା ସୂଚନା ନାହିଁ।
