• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ବଣୁଆ ହାତୀପଲ ଭାଙ୍ଗିଲେ ଘର, ବେସାହାରା ପରିବାର

Byodishri Live

Nov 4, 2026

ଗୁନ୍ଦାବାରୁ ଗ୍ରାମରେ ହାତୀଙ୍କ ଉପଦ୍ରବ; ଧାନ, ଚାଉଳ ଓ ଘରୋଇ ସାମଗ୍ରୀ ନଷ୍ଟ

ତୁମୁଡ଼ିବନ୍ଧ (ଓଡ଼ିଶ୍ରୀ ସମ୍ବାଦ): କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ବ୍ଲକ୍‌ ଅନ୍ତର୍ଗତ ବେଲଘର ବନାଞ୍ଚଳରେ ଦୀର୍ଘଦିନ ଧରି ବଣୁଆ ହାତୀଙ୍କ ଉପଦ୍ରବ ଲାଗି ରହିଛି। କେତେବେଳେ ହାତୀପଲ ଚାଷଜମିରେ ପଶି ଫସଲ ନଷ୍ଟ କରୁଛନ୍ତି ତ ଆଉ କେତେବେଳେ ଗାଁ ଭିତରକୁ ପଶି ଘରଦ୍ୱାର ଭାଙ୍ଗିବା ସହ ଘରୋଇ ସାମଗ୍ରୀ ନଷ୍ଟ କରୁଛନ୍ତି। ସୋମବାର ଭୋର୍‌ ସମୟରେ ଭଣ୍ଡାରଙ୍ଗୀ ପଞ୍ଚାୟତର ଗୁନ୍ଦାବାରୁ ଗ୍ରାମରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ହାତୀପଲ ଗାଁ ଭିତରକୁ ପଶି ଡାଙ୍ଗାର ମାଝିଙ୍କ ଘରକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛନ୍ତି। ଏଥିସହ ଘରେ ଥିବା ଧାନ, ଚାଉଳ ଓ ଅନ୍ୟାନ୍ୟ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ନଷ୍ଟ କରିଛନ୍ତି। ଘର ଭାଙ୍ଗିଯିବା ପରେ ପରିବାରଟି ରହିବାକୁ ଘର ନପାଇ ନିକଟସ୍ଥ ଗାଁରେ ସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେଇଥିବା ଜଣାପଡ଼ିଛି। ଫଳରେ ପରିବାରର ଆଗାମୀ ଦିନର ରହଣି ଓ ଜୀବନଜୀବିକାକୁ ନେଇ ଚିନ୍ତା ବଢ଼ିଛି।

ଏନେଇ ବେଲଘର ବନାଞ୍ଚଳର ଭାରପ୍ରାପ୍ତ ରେଞ୍ଜ ଅଧିକାରୀ ରଜନୀକାନ୍ତ ମେହେରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଝିରିପାଣି ଓ ଭଣ୍ଡାରଙ୍ଗୀ ଅଞ୍ଚଳରେ ପ୍ରାୟ ୧୨ଟି ହାତୀ ରହିଛନ୍ତି। ଗୁନ୍ଦାବାରୁ ଗ୍ରାମରେ ଘର ଭାଙ୍ଗିଥିବା ସୂଚନା ପାଇବା ପରେ ତୁରନ୍ତ ଝିରିପାଣି ବନପାଳ ସନ୍ତୋଷ କୁମାର ସେନାପତିଙ୍କ ନେତୃତ୍ୱରେ ଏକ ବନ ବିଭାଗୀୟ ଦଳକୁ ଗ୍ରାମକୁ ପଠାଯାଇଛି। ଦଳ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯିବା ସହ ହାତୀପଲଙ୍କୁ ଘଉଡ଼ାଇବା ପାଇଁ ବ୍ୟବସ୍ଥା କରାଯାଇଛି।

ବାରମ୍ବାର ହାତୀ ଗାଁମୁହାଁ ହେଉଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ଓ ଚିନ୍ତା ବଢ଼ିଛି। କ୍ଷତିଗ୍ରସ୍ତ ପରିବାରକୁ ଆବଶ୍ୟକ ସହାୟତା ଏବଂ ହାତୀ ଉପଦ୍ରବ ରୋକିବା ପାଇଁ ବନ ବିଭାଗ ପକ୍ଷରୁ ତ୍ୱରିତ ପଦକ୍ଷେପ ନେବାକୁ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *