• Sat. Nov 7th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଆଙ୍ଗୁଳିଆ ବିସ୍ଥାପିତ କଲୋନୀରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ: ଭୂତକୋଠୀ ପାଲଟିଛି ଏଏନ୍‌ଏମ୍‌ କେନ୍ଦ୍ର!

Byodishri Live

Nov 6, 2026

କୋଠା ନିର୍ମାଣ ହୋଇଛି, ନାହାନ୍ତି ସ୍ୱାସ୍ଥ୍ୟକର୍ମୀ; ଗର୍ଭବତୀ ମହିଳା ଓ ଶିଶୁଙ୍କୁ ମିଳୁନି ନିୟମିତ ସେବା

କେନ୍ଦୁଝର, (ଓଡ଼ିଶ୍ରୀ ସମ୍ବାଦ): ବିସ୍ଥାପିତ ପରିବାରଙ୍କ ଥଇଥାନ ଓ ମୌଳିକ ସୁବିଧା ଯୋଗାଇଦେବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ଓ ପ୍ରତିଶ୍ରୁତି ଦିଆଯାଉଛି। କିନ୍ତୁ କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଉପଖଣ୍ଡ ଅନ୍ତର୍ଗତ ଆଙ୍ଗୁଳିଆ ବିସ୍ଥାପିତ କଲୋନୀରେ ସ୍ୱାସ୍ଥ୍ୟସେବାର ସ୍ଥିତିକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। କଲୋନୀରେ ଏଏନ୍‌ଏମ୍‌ କେନ୍ଦ୍ର ନିର୍ମାଣ ହୋଇଥିଲେ ମଧ୍ୟ ସେଠାରେ ନିୟମିତ ଭାବେ ଏଏନ୍‌ଏମ୍‌ କିମ୍ବା ଅନ୍ୟ ସ୍ୱାସ୍ଥ୍ୟକର୍ମୀ ଉପସ୍ଥିତ ରହୁନଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, କାନୁପୁର ବୃହତ୍‌ ଜଳସେଚନ ପ୍ରକଳ୍ପ ଯୋଗୁଁ ଚମକପୁର ଗ୍ରାମର ଶତାଧିକ ପରିବାର ନିଜ ଭିଟାମାଟି ଛାଡ଼ି ଆଙ୍ଗୁଳିଆସ୍ଥିତ ବିସ୍ଥାପିତ କଲୋନୀରେ ଦୀର୍ଘ ୧୦ ବର୍ଷରୁ ଅଧିକ ସମୟ ଧରି ବସବାସ କରୁଛନ୍ତି। ନୂତନ ସ୍ଥାନରେ ଜୀବନ ଆରମ୍ଭ କରିଥିବା ଏହି ପରିବାରଗୁଡ଼ିକ ଏବେ ମଧ୍ୟ ବିଭିନ୍ନ ମୌଳିକ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ରହିଛି। ସେଥିମଧ୍ୟରୁ ସ୍ୱାସ୍ଥ୍ୟସେବା ସମସ୍ୟା ଗୁରୁତର ରୂପ ନେଇଛି।

କଲୋନୀରେ କାନୁପୁର ବୃହତ୍‌ ଜଳସେଚନ ପ୍ରକଳ୍ପ ଜରିଆରେ ଏକ ଏଏନ୍‌ଏମ୍‌ କେନ୍ଦ୍ର ନିର୍ମାଣ କରାଯାଇଛି। କିନ୍ତୁ ସେଠାରେ ନିୟମିତ ସ୍ୱାସ୍ଥ୍ୟକର୍ମୀଙ୍କ ଉପସ୍ଥିତି ନଥିବାରୁ ଗର୍ଭବତୀ ମହିଳା, ପ୍ରସୂତି, ଶିଶୁ ଓ ବୟସ୍କ ବ୍ୟକ୍ତିମାନେ ପ୍ରାଥମିକ ସ୍ୱାସ୍ଥ୍ୟ ପରାମର୍ଶ ଓ ସେବା ପାଇବାରେ ଅସୁବିଧା ଭୋଗୁଥିବା କୁହାଯାଉଛି। ଟିକାକରଣ, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ମଧ୍ୟ ସ୍ଥାନୀୟ ଲୋକଙ୍କୁ ଅନ୍ୟ ସ୍ଥାନ ଉପରେ ନିର୍ଭର କରିବାକୁ ପଡ଼ୁଥିବା ଅଭିଯୋଗ ହେଉଛି।

ଲକ୍ଷାଧିକ ଟଙ୍କା ବ୍ୟୟରେ ଏଏନ୍‌ଏମ୍‌ କେନ୍ଦ୍ର ନିର୍ମାଣ ହୋଇଥିଲେ ମଧ୍ୟ ଯଦି ସେଠାରେ ସ୍ୱାସ୍ଥ୍ୟକର୍ମୀ ନିୟମିତ ନିଯୁକ୍ତ ନାହାନ୍ତି, ତେବେ ଏହି କେନ୍ଦ୍ରର ଉଦ୍ଦେଶ୍ୟ କ’ଣ ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି। କେନ୍ଦ୍ରର ପରିଚାଳନା ଓ ତଦାରଖ ଦାୟିତ୍ୱ କାହାର, ତାହା ମଧ୍ୟ ସ୍ପଷ୍ଟ ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।

ଏହି ପରିସ୍ଥିତିରେ ବିସ୍ଥାପିତଙ୍କ ପୁନର୍ବାସ ଓ ଥଇଥାନ ଦାୟିତ୍ୱରେ ଥିବା ପ୍ରକଳ୍ପ କର୍ତ୍ତୃପକ୍ଷ ଏବଂ ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ ହସ୍ତକ୍ଷେପ କରିବାକୁ ଦାବି ହେଉଛି। ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କେନ୍ଦ୍ରର ସ୍ଥିତି ଯାଞ୍ଚ କରିବା ସହ ନିୟମିତ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି, ଆବଶ୍ୟକ ଔଷଧ ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରାଇବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ଦୀର୍ଘ ବର୍ଷ ଧରି ବିସ୍ଥାପନର ଯନ୍ତ୍ରଣା ସହି ଆସୁଥିବା ପରିବାରଗୁଡ଼ିକୁ ଅନ୍ତତଃ ମୌଳିକ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଦାୟିତ୍ୱ ପ୍ରଶାସନ କେବେ ପୂରଣ କରିବ, ଏବେ ତାହାକୁ ନେଇ ପ୍ରଶ୍ନ ଉଠିଛି।

Spread the love

Leave a Reply

Your email address will not be published. Required fields are marked *