• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ମରୁଡ଼ି ଘୋଷଣା ଓ ଜଳସେଚନ ଦାବିରେ ଜିଲ୍ଲାପାଳଙ୍କୁ ଭେଟିଲେ ତଣ୍ଡିକି ପଞ୍ଚାୟତବାସୀ

Byodishri Live

Nov 6, 2026

୧୯ଟି ଗାଁର ଚାଷୀଙ୍କ ଫସଲ ନଷ୍ଟ ଅଭିଯୋଗ; ପାନୀୟ ଜଳ ଓ ଜଳସେଚନ ବ୍ୟବସ୍ଥା ପାଇଁ ଦାବି

ମାଲକାନଗିରି, (ଓଡ଼ିଶ୍ରୀ ସମ୍ବାଦ): ମରୁଡ଼ି ଘୋଷଣା, ପାନୀୟ ଜଳ ଯୋଗାଣ ଓ ଜଳସେଚନ ବ୍ୟବସ୍ଥା ଭଳି ବିଭିନ୍ନ ଦାବି ନେଇ ତଣ୍ଡିକି ପଞ୍ଚାୟତବାସୀ ମାଲକାନଗିରି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ତଣ୍ଡିକି ପଞ୍ଚାୟତ ଅନ୍ତର୍ଗତ ବୁରୁଦି, ଗୁଟୁମଗୁଡ଼ା, ଦାମାଗୁଡ଼ା, ତେନ୍ତୁଳିଗୁଡ଼ା, ବାଲଗୁଡ଼ା, ଜାମୁଗୁଡ଼ା, ଲକ୍ଷ୍ମଣପୁର, ନାରାୟଣଗୁଡ଼ା, ଦଙ୍ଗାଗୁଡ଼ା, ଗୁରାଘାଟ, ଅୟୁତଗୁଡ଼ା, ବଣ୍ଡିକି, ତାଙ୍ଗଗୁଡ଼ା, ତଣ୍ଡିକି, ନୂଆ ବଣ୍ଡିକି, ଚିଡ଼ିପାଲି, ଟିଟଙ୍ଗ, ସିନ୍ଧିବାଟ ଓ ଚୁଲିପାଣି ଗ୍ରାମର ବାସିନ୍ଦାମାନେ ଏହି ଦାବି ଉଠାଇଛନ୍ତି।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଏହି ଅଞ୍ଚଳର ଚାଷଜମିକୁ ଜଳସେଚନର ସୁବିଧା ନଥିବାରୁ ଚାଷୀମାନେ କେବଳ ବର୍ଷା ଜଳ ଉପରେ ନିର୍ଭର କରିଥାନ୍ତି। ଚଳିତ ବର୍ଷ ଆବଶ୍ୟକ ଅନୁଯାୟୀ ବର୍ଷା ନହେବାରୁ ଧାନ ଫସଲ ନଷ୍ଟ ହୋଇଥିବା ସହ ଅଞ୍ଚଳରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିବା ସେମାନେ କହିଛନ୍ତି।

ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଗ୍ରାମଗୁଡ଼ିକୁ ମରୁଡ଼ି ପ୍ରଭାବିତ ଅଞ୍ଚଳ ଭାବେ ଘୋଷଣା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏଥିସହ ପ୍ରତ୍ୟେକ ଗ୍ରାମକୁ ପାଇପ୍‌ଲାଇନ୍‌ ମାଧ୍ୟମରେ ପାନୀୟ ଜଳ ଯୋଗାଣ ଏବଂ ଚାଷଜମି ପାଇଁ ସ୍ଥାୟୀ ଜଳସେଚନ ବ୍ୟବସ୍ଥା କରିବାକୁ ମଧ୍ୟ ଦାବି ରହିଛି।

ଏନେଇ ଆଦିବାସୀ ସଂଘର ବୁରୁଦି ଶାଖା ଜୋନ୍‌ ପକ୍ଷରୁ ଇନ୍ଦ୍ର ରାଜ ଦୁରୁଆ, ଅଜୟ ମାଢ଼ି, ରସୁ ମାଡ଼କାମୀ, ସମ୍ବାରୁ ଦୁରୁଆ, ମାସୁଲା ଦୁରୁଆ, ମଙ୍ଗୁଲୁ ମାଡ଼କାମୀ, ସୁବାଷ ଦୁରୁଆ, ମୁନା ପଡ଼ିଆମୀ ଓ ରାମୁ ମାଡ଼କାମୀଙ୍କ ସମେତ ଅନ୍ୟମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଦାବିପତ୍ର ଦେଇଛନ୍ତି। ଏହି ଦାବିଗୁଡ଼ିକ ଉପରେ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *