• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ବରୀ ରାଜନୀତିରେ ବଦଳୁଛି ସମୀକରଣ, ବିଡିଓ-ଅଧ୍ୟକ୍ଷ ବିବାଦ ଚର୍ଚ୍ଚାରେ

Byodishri Live

Sep 22, 2026

ବରୀ (ଓଡ଼ିଶ୍ରୀ ସମ୍ବାଦ): ରାଜ୍ୟରେ ସରକାର ପରିବର୍ତ୍ତନ ପରେ ବରୀ ବ୍ଲକର ରାଜନୈତିକ ସମୀକରଣରେ ମଧ୍ୟ ପରିବର୍ତ୍ତନ ଦେଖାଦେଇଛି। ଏହାରି ମଧ୍ୟରେ ପଞ୍ଚାୟତ ସମିତି ଓ ପ୍ରଶାସନ ମଧ୍ୟରେ ସମନ୍ୱୟ ଅଭାବକୁ ନେଇ ଚର୍ଚ୍ଚା ଜୋର ଧରିଛି।

୨୦୨୨ରେ ବରୀ ପଞ୍ଚାୟତ ସମିତି ବିଜେଡି ଅଧୀନକୁ ଯାଇଥିଲା। ସେତେବେଳେ ସମିତି ଅଧ୍ୟକ୍ଷ ଅଶୋକ କୁମାର ଗେଡି ଓ ତତ୍କାଳୀନ ବିଜେଡି ବିଧାୟିକା ସୁନନ୍ଦା ଦାସଙ୍କ ମଧ୍ୟରେ ମତଭେଦକୁ ନେଇ ବିକାଶମୂଳକ କାର୍ଯ୍ୟ ପ୍ରଭାବିତ ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା।

୨୦୨୪ରେ ବିଜେଡି ପ୍ରାର୍ଥୀ ବିଶ୍ୱରଞ୍ଜନ ମଲ୍ଲିକ ବରୀରୁ ବିଧାୟକ ଭାବେ ନିର୍ବାଚିତ ହେବା ପରେ ମଧ୍ୟ ଶ୍ରୀ ଗେଡି ତାଙ୍କ ସହ ରହିଥିଲେ। ପରବର୍ତ୍ତୀ ସମୟରେ ସରକାର ପରିବର୍ତ୍ତନ ପରେ ଶ୍ରୀ ଗେଡି ବିଜେପିରେ ଯୋଗଦେଇଥିବା ଜଣାପଡ଼ିଥିଲା। ତେବେ ଦଳ ପରିବର୍ତ୍ତନକୁ ନେଇ ପରେ ସେ ପୁଣି ବିଜେଡିକୁ ଫେରିଥିବା ଏବଂ ପରବର୍ତ୍ତୀ ସମୟରେ ପୁଣି ବିଜେପିରେ ଯୋଗଦେଇଥିବା ନେଇ ଚର୍ଚ୍ଚା ରହିଛି।

ବର୍ତ୍ତମାନ ଶ୍ରୀ ଗେଡି ନିଜକୁ ଦଳରେ ଅଲୋଡ଼ା ଓ ଅସୁରକ୍ଷିତ ମଣୁଥିବା ନେଇ ଅସନ୍ତୋଷ ପ୍ରକାଶ କରିଥିବା ଦାବି କରାଯାଉଛି। ଏହାସହ ସେ ଆଗାମୀ ଦିନରେ କୌଣସି ବଡ଼ ପଦକ୍ଷେପ ନେଇପାରନ୍ତି ବୋଲି ଇସାରା ଦେଇଥିବା ତାଙ୍କ ସମର୍ଥକମାନେ କହିଛନ୍ତି।

ଅନ୍ୟପକ୍ଷରେ ବରୀ ବିଡିଓ ମିନତୀ ଜଗଦେବ ଦାୟିତ୍ୱ ନେବା ପରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଗେଡିଙ୍କ ସହ ତାଙ୍କର ବିବାଦକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଗତ ୩୧ ତାରିଖରୁ ବିବାଦର ସୂତ୍ରପାତ ହୋଇଥିବା ବେଳେ ୧୩ ତାରିଖରେ ମାମଲା ଥାନାରେ ପହଞ୍ଚିଥିବା ଜଣାପଡ଼ିଛି। ଉଭୟ ପକ୍ଷ ପରସ୍ପର ବିରୋଧରେ ଏତଲା ଦେଇଥିବା ସୂଚନା ମିଳିଛି।

ଏହି ଘଟଣାରେ ନିଜ ପଦବୀର ମର୍ଯ୍ୟାଦା କ୍ଷୁଣ୍ଣ ହୋଇଥିବା ଅଧ୍ୟକ୍ଷ ଅନୁଭବ କରୁଥିବା କହିଛନ୍ତି। ବିଡିଓଙ୍କ ପକ୍ଷରୁ ବୈଠକ ବାତିଲ କରାଯିବା ଘଟଣାକୁ ନେଇ ଅଧ୍ୟକ୍ଷ ପଞ୍ଚାୟତିରାଜ ବିଭାଗର ସଚିବ ଓ ଯାଜପୁର ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିବା ତାଙ୍କ ପକ୍ଷରୁ କୁହାଯାଇଛି।

ଘଟଣାକୁ ୮ରୁ ୧୦ ଦିନ ବିତିଥିଲେ ମଧ୍ୟ ଦଳୀୟ କିମ୍ବା ପ୍ରଶାସନିକ ସ୍ତରରେ କୌଣସି ପଦକ୍ଷେପ ନିଆଯାଇନଥିବା ଅଧ୍ୟକ୍ଷଙ୍କ ସମର୍ଥକମାନେ ଅଭିଯୋଗ କରିଛନ୍ତି। ଆଗକୁ ପଞ୍ଚାୟତ ନିର୍ବାଚନ ଥିବା ବେଳେ ବିଡିଓ-ଅଧ୍ୟକ୍ଷ ବିବାଦ ବରୀର ସ୍ଥାନୀୟ ରାଜନୀତି ଉପରେ କିପରି ପ୍ରଭାବ ପକାଇବ, ତାହାକୁ ନେଇ ଚର୍ଚ୍ଚା ଜାରି ରହିଛି।

Spread the love

Leave a Reply

Your email address will not be published. Required fields are marked *