ବଡ଼ଚଣା (ଓଡ଼ିଶ୍ରୀ ସମ୍ବାଦ): ବର୍ଷେ ପୂର୍ବରୁ ଉଦଘାଟନ ହୋଇଥିଲେ ମଧ୍ୟ ଏଯାଏଁ ବିଜୁଳି ସଂଯୋଗ ହୋଇପାରିନାହିଁ ବଡ଼ଚଣା ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ଙ୍କ ନୂତନ କାର୍ଯ୍ୟାଳୟରେ। କେବଳ ବିଦ୍ୟୁତ୍ ସଂଯୋଗ ନୁହେଁ, କାର୍ଯ୍ୟାଳୟର ନାମଫଳକ ନଥିବାରୁ ଏହା ସରକାରୀ କାର୍ଯ୍ୟାଳୟ ବୋଲି ଚିହ୍ନଟ କରିବାରେ ମଧ୍ୟ ସାଧାରଣ ଲୋକେ ସମସ୍ୟାରେ ପଡ଼ୁଥିବା ଅଭିଯୋଗ ହେଉଛି।
ସୂଚନା ଅନୁଯାୟୀ, ଗତବର୍ଷ ଗୁରୁଦିବସ ଅବସରରେ ଅର୍ଥାତ୍ ୫ ସେପ୍ଟେମ୍ବର ୨୦୨୫ରେ ତତ୍କାଳୀନ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବଡ଼ଚଣା ବିଇଓଙ୍କ ନୂତନ କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ। ଉଦଘାଟନ ସମୟରେ ବଡ଼ଚଣା ବିଧାୟକ ଅମର କୁମାର ନାୟକ ମଧ୍ୟ ଉପସ୍ଥିତ ଥିଲେ। ତେବେ ଉଦଘାଟନର ପ୍ରାୟ ବର୍ଷେ ପରେ ମଧ୍ୟ କାର୍ଯ୍ୟାଳୟ ବାହାରେ ନାମଫଳକ ଲଗାଯାଇନଥିବା ଅଭିଯୋଗ ହୋଇଛି।
କାର୍ଯ୍ୟାଳୟର ଗେଟ୍ ବାହାରେ କୌଣସି ସୂଚନା ଫଳକ ନଥିବାରୁ ଲୋକେ କାର୍ଯ୍ୟାଳୟଟି କେଉଁଠି ଅଛି ଜାଣିବାରେ ଅସୁବିଧା ଭୋଗୁଛନ୍ତି। କାର୍ଯ୍ୟାଳୟ ଭିତରେ ଥିବା ସୂଚନା ବୋର୍ଡରେ ବିଇଓମାନଙ୍କ ନାମ ତାଲିକା ରହିଥିବା ବେଳେ ବାହାରେ କାର୍ଯ୍ୟାଳୟ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ନଥିବା ଅଭିଯୋଗ ହେଉଛି।
ଅନ୍ୟପକ୍ଷରେ, କାର୍ଯ୍ୟାଳୟରେ ବିଜୁଳି ସଂଯୋଗକୁ ନେଇ ମଧ୍ୟ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ଗତ ପ୍ରାୟ ବର୍ଷେ ଧରି ସ୍ଥାୟୀ ବିଇଓ ନଥିବା ବେଳେ ଚଳିତ ବର୍ଷ ଜୁଲାଇ ୨୨ ତାରିଖରେ ଲୋପାମୁଦ୍ରା ରାଉତରାୟ ବିଇଓ ଭାବେ ଯୋଗ ଦେଇଥିବା କୁହାଯାଉଛି। ତେବେ ସ୍ଥାୟୀ ବିଇଓ ଯୋଗଦେବା ପରେ ମଧ୍ୟ କାର୍ଯ୍ୟାଳୟକୁ ବିଧିବଦ୍ଧ ବିଦ୍ୟୁତ୍ ସଂଯୋଗ ହୋଇନଥିବା ଅଭିଯୋଗ ହୋଇଛି।
ଏପରିକି ଚୋରାରେ ବିଦ୍ୟୁତ୍ ସଂଯୋଗ ନିଆଯାଇଥିବା ନେଇ ଖବର ପାଇ ବିଭାଗୀୟ ସ୍କ୍ୱାଡ୍ ଚଢ଼ାଉ କରି ବିଦ୍ୟୁତ୍ ସଂଯୋଗ କାଟିବା ସହ ୪ ଲକ୍ଷ ଟଙ୍କା ଜରିମାନା କରିଥିବା ନେଇ ଅଞ୍ଚଳରେ ଆଲୋଚନା ହେଉଛି। ତେବେ ଏ ସମ୍ପର୍କରେ ବିଭାଗୀୟ ଭାବେ ସ୍ପଷ୍ଟୀକରଣ ମିଳିନାହିଁ।
ସେହିପରି, ପ୍ରାୟ ଦୁଇମାସ ହେବ ବିଇଓ ଭାବେ ଯୋଗଦେଇଥିଲେ ମଧ୍ୟ କୌଣସି ବିଦ୍ୟାଳୟ ପରିଦର୍ଶନ ହୋଇନଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। କାର୍ଯ୍ୟାଳୟରେ କାମକାର୍ଯ୍ୟ ଠିକ୍ ଭାବେ ହେଉନଥିବାରୁ ଅବସରପ୍ରାପ୍ତ କର୍ମଚାରୀ ଓ ଶିକ୍ଷକମାନଙ୍କ ପେନସନ ସମ୍ପର୍କିତ କାର୍ଯ୍ୟରେ ବିଳମ୍ବ ଘଟୁଥିବା ଅଭିଯୋଗ ଆସିଛି। ଏନେଇ କିଛି ଅବସରପ୍ରାପ୍ତ ଶିକ୍ଷକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି।
ଏହାଛଡ଼ା ଚାରିନଙ୍ଗଳ ସରକାରୀ ଉଚ୍ଚ ବିଦ୍ୟାଳୟର ଦୁଇଜଣ ଶିକ୍ଷକ ଗତ ଅଗଷ୍ଟ ମାସରେ ମଦ୍ୟପାନ କରି ବିଦ୍ୟାଳୟକୁ ଆସିଥିବା ନେଇ ଅଭିଯୋଗ ହୋଇଥିଲା। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ସହ ଅପ୍ରୀତିକର ପରିସ୍ଥିତି ଉପୁଜିଥିବା କୁହାଯାଉଛି। ପରେ ବାଳଚନ୍ଦ୍ରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଶିକ୍ଷକଙ୍କୁ ଘରକୁ ପଠାଇବା ପରେ ପରିସ୍ଥିତି ଶାନ୍ତ ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି।
ଏନେଇ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ପଞ୍ଚସଖା ଅଭିଯାନର ସଭାପତି ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିବା କୁହାଯାଉଛି। ଅଭିଯୋଗର ଏକମାସ ବିତିଥିଲେ ମଧ୍ୟ ଘଟଣାର ତଦନ୍ତ କିମ୍ବା କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଅଭିଯୋଗ ହୋଇଛି।
ସମଗ୍ର ଘଟଣାରେ ବଡ଼ଚଣା ବିଇଓ କାର୍ଯ୍ୟାଳୟର କାର୍ଯ୍ୟପ୍ରଣାଳୀକୁ ନେଇ ପ୍ରଶ୍ନ ଉଠିଛି। ଏହି ସମସ୍ତ ଅଭିଯୋଗର ତଦନ୍ତ କରିବା ସହ ବଡ଼ଚଣା ବିଇଓ କାର୍ଯ୍ୟାଳୟରେ ଆବଶ୍ୟକ ସୁବିଧା ସୁନିଶ୍ଚିତ କରିବା ଏବଂ ଅଭିଯୋଗଗୁଡ଼ିକ ଉପରେ ଉଚିତ ପଦକ୍ଷେପ ନେବାକୁ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳଙ୍କ ନିକଟରେ ସାଧାରଣରେ ଦାବି ହୋଇଛି।
