• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

କେଉଟିବାହାଳୀରେ ପାଣି ପାଇପ୍‌ ଫାଟି ଜଳ ନଷ୍ଟ

Byodishri Live

Sep 23, 2026

ଚାରମାଳ (ଓଡ଼ିଶ୍ରୀ ସମ୍ବାଦ): ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ଚାରମାଳ ପଞ୍ଚାୟତର କେଉଟିବାହାଳୀ ଗ୍ରାମରେ ମହାନଦୀ ପ୍ରକଳ୍ପର ମୁଖ୍ୟ ପାଣି ପାଇପ୍‌ ଫାଟିଯିବା ଯୋଗୁଁ ବିପୁଳ ପରିମାଣର ପାଣି ନଷ୍ଟ ହେଉଛି। ଦୀର୍ଘ ସମୟ ଧରି ପାଇପ୍‌ ଫାଟି ପାଣି ବାହାରୁଥିବାରୁ ରାସ୍ତାଘାଟରେ ପାଣି ଜମି ଏକ ପ୍ରକାର କୃତ୍ରିମ ବନ୍ୟା ପରି ସ୍ଥିତି ସୃଷ୍ଟି ହୋଇଛି।

ଗ୍ରାମ ଦେଇ ଯାଇଥିବା ମୁଖ୍ୟ ପାଣି ପାଇପ୍‌ ଫାଟିଯିବା ଯୋଗୁଁ ଶହ ଶହ ଗ୍ୟାଲନ ବିଶୁଦ୍ଧ ପାନୀୟ ଜଳ ଅପଚୟ ହେଉଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ଏତେ ପରିମାଣରେ ପାଣି ନଷ୍ଟ ହେଉଥିଲେ ମଧ୍ୟ ସମ୍ପୃକ୍ତ ବିଭାଗୀୟ ଅଧିକାରୀ କିମ୍ବା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇନଥିବା ଅଭିଯୋଗ ହୋଇଛି।

ସ୍ଥାନୀୟ ଲୋକେ ପାଇପ୍‌ ଫାଟିଥିବା ନେଇ ବିଭାଗକୁ ଅବଗତ କରିଥିବା କହିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ମରାମତି ଦଳ ଘଟଣାସ୍ଥଳରେ ପହଞ୍ଚିନଥିବା ଅଭିଯୋଗ ହୋଇଛି। ଫଳରେ ବିଭାଗୀୟ ଅବହେଳାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଯଦି ତୁରନ୍ତ ପାଇପ୍‌ ଫାଟକୁ ମରାମତି କରାନଯାଏ, ତେବେ ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳରେ ପାନୀୟ ଜଳ ସଙ୍କଟ ଦେଖାଦେବାର ଆଶଙ୍କା ରହିଛି। ଏଥିସହ ପାଇପ୍‌ ଫାଟି ରାସ୍ତାରେ ପାଣି ଜମି ରହିବା ଯୋଗୁଁ ଯାତାୟାତରେ ମଧ୍ୟ ସମସ୍ୟା ସୃଷ୍ଟି ହେଉଥିବା ସ୍ଥାନୀୟ ଲୋକେ କହିଛନ୍ତି।

ଏହି ପରିସ୍ଥିତିରେ ସ୍ଥାନୀୟ ବୁଦ୍ଧିଜୀବୀ ଓ ଗ୍ରାମବାସୀ ସମ୍ପୃକ୍ତ ଉଚ୍ଚପଦସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ଘଟଣାସ୍ଥଳରେ ମରାମତି ଦଳ ପଠାଇ ପାଇପ୍‌ ଫାଟକୁ ସଜାଡ଼ିବା ସହ ପାଣି ଅପଚୟ ରୋକିବାକୁ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *