ଚାରମାଳ(ଓଡ଼ିଶ୍ରୀ ସମ୍ବାଦ) : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଚାରମାଳ ପଞ୍ଚାୟତ ଅଧୀନ ଖୁବେଲ ପ୍ରାଥମିକ ବିଦ୍ୟାଳୟର ସୁରକ୍ଷା ପାଚେରୀ ଦୀର୍ଘଦିନ ହେବ ଜରାଜୀର୍ଣ୍ଣ ଓ ଅସୁରକ୍ଷିତ ଅବସ୍ଥାରେ ରହିଛି। ଏହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ପ୍ରକାଶ ପାଇଛି।
ବିଦ୍ୟାଳୟର ଚାରିପାଖରେ ଥିବା ପାଚେରୀର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଫାଟ ସୃଷ୍ଟି ହୋଇଥିବାବେଳେ ଏହା ଗୋଟିଏ ପଟକୁ ଢଳି ରହିଛି। ବର୍ଷାଦିନେ ମାଟି ନରମ ହେବା ଯୋଗୁଁ ପାଚେରୀ ଭୁଶୁଡ଼ି ପଡ଼ିବାର ଆଶଙ୍କା ଥିବା ସ୍ଥାନୀୟ ଲୋକେ କହିଛନ୍ତି। ସ୍କୁଲ ଛୁଟି ସମୟରେ କିମ୍ବା ଖେଳପଡ଼ିଆରେ ଛାତ୍ରଛାତ୍ରୀ ଖେଳୁଥିବା ବେଳେ ପାଚେରୀ ଭୁଶୁଡ଼ିଲେ ଅଘଟଣ ଘଟିପାରେ ବୋଲି ଅଭିଭାବକମାନେ ଆଶଙ୍କା ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ ପାଚେରୀର କିଛି ଅଂଶ ଭାଙ୍ଗିଯାଇଥିବାରୁ ବିଦ୍ୟାଳୟ ପରିସରକୁ ଗୋରୁଗାଈ ସହଜରେ ପ୍ରବେଶ କରୁଥିବା ଅଭିଯୋଗ ହୋଇଛି। ଏହାଫଳରେ ବିଦ୍ୟାଳୟ ପରିବେଶ ନଷ୍ଟ ହେଉଥିବା କୁହାଯାଇଛି। ଏଥିସହ ସନ୍ଧ୍ୟା ସମୟରେ ଅସୁରକ୍ଷିତ ସ୍ଥାନରେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ଜମୁଥିବା ନେଇ ମଧ୍ୟ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ଏନେଇ ଗ୍ରାମବାସୀ ଓ ଅଭିଭାବକମାନେ ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କୌଣସି ଅଘଟଣ ଘଟିବା ପୂର୍ବରୁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇ ଜରାଜୀର୍ଣ୍ଣ ପାଚେରୀକୁ ଭାଙ୍ଗି ଏକ ନୂତନ ଓ ସୁଦୃଢ଼ ପାଚେରୀ ନିର୍ମାଣ କରିବାକୁ ଦାବି ହୋଇଛି।
