ଓଳାଭର (ଓଡ଼ିଶ୍ରୀ ସମ୍ବାଦ): କେନ୍ଦ୍ରାପଡ଼ା ଜିଲ୍ଲା ଅଧୀନ ଓଳାଭର ଅଞ୍ଚଳରେ ପ୍ରସ୍ତାବିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ପିଏଚ୍ସି) ପାଇଁ ଏଯାଏଁ ଉପଯୁକ୍ତ ସ୍ଥାନ ଚିହ୍ନଟ ହୋଇପାରିନାହିଁ। ଫଳରେ ପିଏଚ୍ସି ନିର୍ମାଣ ପାଇଁ ମଞ୍ଜୁର ହୋଇଥିବା ଅର୍ଥ ଫେରିଯିବା ନେଇ ଆଶଙ୍କା ପ୍ରକାଶ ପାଇଛି।
୧୯୯୨ ମସିହାରେ ୨୦ ଶଯ୍ୟା ବିଶିଷ୍ଟ ସରକାରୀ ହସ୍ପିଟାଲ ଭାବେ ଓଳାଭର ସ୍ୱାସ୍ଥ୍ୟକେନ୍ଦ୍ର ମାନ୍ୟତା ପାଇଥିଲା। ତଦନୁଯାୟୀ ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ପଦବୀ ପୂରଣ କରାଯାଇ ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଥିଲା। ତେବେ ୨୦୦୦ ମସିହା ପରଠାରୁ ଏଠାରେ ସ୍ଥାୟୀ ଡାକ୍ତର ନଥିବା ଅଭିଯୋଗ ହୋଇଆସୁଛି। ମଝିରେ ମଝିରେ ଡେପୁଟେସନରେ ଡାକ୍ତର ଆସି ସେବା ଯୋଗାଉଥିବା କୁହାଯାଇଛି।
ସ୍ୱାସ୍ଥ୍ୟସେବାର ଏଭଳି ଅବ୍ୟବସ୍ଥାକୁ ନେଇ ସାମ୍ବାଦିକ ସୁଶାନ୍ତ ନାୟକ ମେଡିକାଲ ସମ୍ମୁଖରେ ଧାରଣା ଦେଇଥିବା ବେଳେ ତାଙ୍କୁ ବିଭିନ୍ନ ପ୍ରତିଶ୍ରୁତି ଦିଆଯାଇଥିବା ଜଣାପଡ଼ିଛି।
ପ୍ରକାଶ ଯୋଗ୍ୟ ଯେ, ଓଳାଭରରେ ପିଏଚ୍ସି ଖୋଲିବା ପାଇଁ ପ୍ରାୟ ଅଢ଼େଇ କୋଟି ଟଙ୍କା ମଞ୍ଜୁର ହୋଇଛି। ଗତ ଫେବ୍ରୁଆରୀ ୨୫ ତାରିଖରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ କନିକା ତହସିଲଦାରଙ୍କୁ ପିଏଚ୍ସି ପାଇଁ ଉପଯୁକ୍ତ ଜମି ଯୋଗାଇଦେବାକୁ ଅନୁରୋଧ କରିଥିଲେ। ଇତିମଧ୍ୟରେ ପ୍ରାୟ ୮ ମାସ ବିତିଥିଲେ ମଧ୍ୟ ଜମି ଚିହ୍ନଟ ପ୍ରକ୍ରିୟା ଆଗକୁ ବଢ଼ିନଥିବା ଅଭିଯୋଗ ହୋଇଛି।
୨୦୦୧ ମସିହାରେ ନୂଆପାଟଣା ନିକଟସ୍ଥ ପଡ଼ିଆରେ ହସ୍ପିଟାଲ ନିର୍ମାଣ ପାଇଁ ଶୁଭ ଦିଆଯାଇଥିବା କୁହାଯାଉଛି। ଦୀର୍ଘ ବର୍ଷ ପରେ ପୁଣି ସରକାରଙ୍କ ପକ୍ଷରୁ ବଡ଼ ଅର୍ଥରାଶି ମଞ୍ଜୁର ହୋଇଥିବାରୁ ଶୀଘ୍ର ଜମି ମାପଚୁପ କରି ଚିହ୍ନଟ କରାଯାଇ ସ୍ୱାସ୍ଥ୍ୟ ବିଭାଗକୁ ହସ୍ତାନ୍ତର କରାଗଲେ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ ହୋଇପାରିବ ବୋଲି ସ୍ଥାନୀୟ ଲୋକେ ମତ ଦେଇଛନ୍ତି।
ଜାତୀୟ ସ୍ୱାସ୍ଥ୍ୟ ମିଶନର ନିୟମ ଅନୁଯାୟୀ ଏକ ପିଏଚ୍ସି ପାଇଁ ପ୍ରାୟ ୫ ହଜାର ବର୍ଗଫୁଟ ଜମି ଆବଶ୍ୟକ ବୋଲି ସମ୍ପୃକ୍ତ ଅଧିକାରୀଙ୍କ ପକ୍ଷରୁ କୁହାଯାଇଥିବା ଜଣାପଡ଼ିଛି। ଓଳାଭର କଲେଜ ପଡ଼ିଆ ପରେ ବାଲିସାହି ପଡ଼ିଆକୁ ଏକ ସମ୍ଭାବ୍ୟ ସ୍ଥାନ ଭାବେ ଦେଖାଯାଉଥିଲେ ମଧ୍ୟ ସେଠାରେ ସ୍ଥାନୀୟ ଯୁବକ ଓ ପିଲାମାନେ ଖେଳକୁଦ କରୁଥିବା ସହ ପ୍ରତିବର୍ଷ ବିଭିନ୍ନ କାର୍ଯ୍ୟକ୍ରମ ହୋଇଥାଏ। ତେଣୁ ସମସ୍ତ ପକ୍ଷ ପାଇଁ ଉପଯୁକ୍ତ ସ୍ଥାନ ଚିହ୍ନଟ କରିବାକୁ ଦାବି ହୋଇଛି।
ଏନେଇ ସାମ୍ବାଦିକ ନଳିନୀ ପୃଷ୍ଟି, ସୁଶାନ୍ତ ନାୟକ, ମନୋଜ ପରିଡ଼ା, ଶ୍ରୀନିବାସ ଓଝା, କୃତିବାସ ନାୟକ, ରଞ୍ଜନ ପୃଷ୍ଟି ପ୍ରମୁଖ ଜିଲ୍ଲାପାଳ ଓ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଶୀଘ୍ର ଜମି ଚିହ୍ନଟ କରି ପିଏଚ୍ସି ନିର୍ମାଣ କାର୍ଯ୍ୟ ଆଗେଇ ନେବାକୁ ଅନୁରୋଧ କରିଛନ୍ତି। ମଞ୍ଜୁର ହୋଇଥିବା ଅର୍ଥ ପୂର୍ବବର୍ଷ ପରି ପୁଣି ଫେରି ନଯାଉ ବୋଲି ମଧ୍ୟ ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି।
