ମାଲକାନଗିରି (ଓଡ଼ିଶ୍ରୀ ସମ୍ବାଦ): ସମ୍ଭାବ୍ୟ ବାତ୍ୟାକୁ ନେଇ ମାଲକାନଗିରି ଜିଲ୍ଲାରେ ବର୍ଷା ଲାଗିରହିଥିବା ବେଳେ ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ଓଡ଼ିଶା ଅଗ୍ନିଶମ ସେବା ଓ ଓଡ୍ରାଫ ଟିମ୍କୁ ସଜାଗ ରଖାଯାଇଛି। ବନ୍ୟା ଓ ବାତ୍ୟା ମୁକାବିଲା ପାଇଁ ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି କରାଯାଇଛି।
ଜିଲ୍ଲାରେ ଦୁଇଟି ଓଡ୍ରାଫ ଟିମ୍କୁ ମୁତୟନ କରାଯାଇଛି। ଗୋଟିଏ ଟିମ୍ ମାଥିଲି ଓ ଅନ୍ୟଟି କାଲିମେଳାରେ ମୁତୟନ ରହିଛି। ଏଥିସହ ଜିଲ୍ଲାର ୮ଟି ଅଗ୍ନିଶମ କେନ୍ଦ୍ରକୁ ଆଲର୍ଟରେ ରଖାଯାଇଛି। ଉଦ୍ଧାର କାର୍ଯ୍ୟ ପାଇଁ ସ୍ୱତନ୍ତ୍ର ଟିମ୍ ମଧ୍ୟ ନିୟୋଜିତ କରାଯାଇଛି।
କାଲିମେଳା, ପୋଟେରୁ, କାଙ୍ଗୁରକୋଣ୍ଡା, ମୋଟୁ ଓ ପାଙ୍ଗାମ ଭଳି ଜଳବନ୍ଦୀ ଆଶଙ୍କା ଥିବା ସମ୍ବେଦନଶୀଳ ଅଞ୍ଚଳ ଉପରେ ବିଶେଷ ନଜର ରଖାଯାଇଛି। ଯେକୌଣସି ଅଘଟଣ ଘଟିଲେ ତୁରନ୍ତ ଉଦ୍ଧାର କାର୍ଯ୍ୟ କରିବା ପାଇଁ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ପକ୍ଷରୁ ଆବଶ୍ୟକ ଯନ୍ତ୍ରାଂଶ ମହଜୁଦ ରଖାଯାଇଛି।
ଉଦ୍ଧାର କାର୍ଯ୍ୟ ପାଇଁ ରବର ବୋଟ୍, ଲାଇଫ୍ ଜାକେଟ୍, ଲାଇଫ୍ ବୟ, ଆସ୍କା ଲାଇଟ୍, ଟେଲିସ୍କୋପିକ୍ ଲାଇଟ୍, ପାୱାର ସ’ ମେସିନ୍ ଓ ହାଇଡ୍ରୋଲିକ୍ ପାୱାର ପ୍ୟାକ୍ ଭଳି ଆଧୁନିକ ଯନ୍ତ୍ରପାତି ପ୍ରସ୍ତୁତ ରଖାଯାଇଛି। ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହେଲେ ମଧ୍ୟ ରାତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିବା ପାଇଁ ଆଲୋକ ବ୍ୟବସ୍ଥା କରାଯାଇଛି।
ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ଭାବ୍ୟ ବାତ୍ୟା ଓ ବନ୍ୟାର ମୁକାବିଲା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ରଖାଯାଇଥିବା ସୂଚନା ମିଳିଛି।
