କ.ନୂଆଗାଁ (ଓଡ଼ିଶ୍ରୀ ସମ୍ବାଦ): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ତୁହାକୁ ତୁହା ବର୍ଷା ଜାରି ରହିଛି। ଏହାର ପ୍ରଭାବରେ କ.ନୂଆଗାଁରୁ ଫୁଲବାଣୀ ଯାଉଥିବା ରାସ୍ତାର ଡାମେରିକିଆ ମୁଖ୍ୟ ରାସ୍ତା ଉପରେ ଏକ ବିରାଟ ବରଗଛ ଉପୁଡ଼ି ପଡ଼ି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।
କୁଡୁତୁଲି ପଞ୍ଚାୟତ ଅନ୍ତର୍ଗତ ଏହି ସ୍ଥାନରେ ଗଛଟି ରାସ୍ତା ଉପରେ ପଡ଼ିବା ସହ ବିଦ୍ୟୁତ ଖୁଣ୍ଟ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ଫଳରେ ସମ୍ପୃକ୍ତ ଅଞ୍ଚଳରେ ବିଦ୍ୟୁତ ଯୋଗାଣ ବନ୍ଦ ରହିଥିଲା।
ରାସ୍ତା ଅବରୋଧ ଯୋଗୁଁ ଫୁଲବାଣୀ ଓ ବାଲିଗୁଡ଼ା ଯାଉଥିବା ଛୋଟବଡ଼ ଯାନବାହନ ସହ ଆମ୍ବୁଲାନ୍ସ ମଧ୍ୟ ଅଟକି ରହିଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହନ ଅଟକି ରହିବାରୁ ଯାତ୍ରୀମାନେ ଦୀର୍ଘ ସମୟ ଧରି ହଇରାଣ ହୋଇଥିଲେ।
ଖବର ପାଇ କ.ନୂଆଗାଁ ତହସିଲର ଅତିରିକ୍ତ ତହସିଲଦାର ବସୁଧା ପ୍ରଧାନ, ପୋଲିସ ଏଏସ୍ଆଇ ସୁରେନ୍ଦ୍ର ରାଜହଂସ ଓ ସାରଙ୍ଗଗଡ଼ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ କର୍ମଚାରୀମାନେ ଗଛ କାଟିବା ପରେ ଜେସିବି ସହାୟତାରେ ରାସ୍ତା ସଫା କରିଥିଲେ। ପରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା।
