ବରୀ (ଓଡ଼ିଶ୍ରୀ ସମ୍ବାଦ): ଲଗାଣ ବର୍ଷା ଯୋଗୁଁ ଜାରକା ଅଞ୍ଚଳର ଗୋପବନ୍ଧୁ ନଗରରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି। ଏହି ଅଞ୍ଚଳରେ ପ୍ରାୟ ୩୦୦ ପରିବାର ରହୁଥିବା ବେଳେ ବହୁ ସଂଖ୍ୟକ ବରିଷ୍ଠ ନାଗରିକ ବସବାସ କରନ୍ତି। ରାସ୍ତାରେ ଆଣ୍ଠୁଏ ପାଣି ଜମି ରହିଥିବାରୁ ବୃଦ୍ଧବୃଦ୍ଧାଙ୍କ ପାଇଁ ଘରୁ ବାହାରିବା କଷ୍ଟକର ହୋଇପଡ଼ିଛି।
ଗଳି ରାସ୍ତାରେ ଦୀର୍ଘ ସମୟ ଧରି ବର୍ଷାଜଳ ଜମି ରହିବା ଯୋଗୁଁ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ, ଔଷଧ ଓ ଅନ୍ୟାନ୍ୟ ଜରୁରୀ କାର୍ଯ୍ୟ ପାଇଁ ଲୋକଙ୍କ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଜରୁରୀ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଲେ ଆମ୍ବୁଲାନ୍ସ ପହଞ୍ଚିବା ମଧ୍ୟ କଷ୍ଟକର ବୋଲି ସ୍ଥାନୀୟ ଲୋକେ କହିଛନ୍ତି।
ସେହିପରି ଜଳବନ୍ଦୀ ଯୋଗୁଁ ଛୋଟ ପିଲାମାନଙ୍କ ସ୍କୁଲ ଯିବାରେ ମଧ୍ୟ ସମସ୍ୟା ଉପୁଜିଛି। ରାସ୍ତାରେ ଦୂଷିତ ପାଣି ଜମି ରହୁଥିବାରୁ ରୋଗ ବ୍ୟାପିବାର ଆଶଙ୍କା ନେଇ ଲୋକେ ଚିନ୍ତା ପ୍ରକାଶ କରିଛନ୍ତି। ପାଣି ମଧ୍ୟରେ ଯାତାୟାତ କରିବା ଫଳରେ ଚର୍ମ ସମସ୍ୟା ଦେଖାଦେଉଥିବା ମଧ୍ୟ କେତେକ ଲୋକ କହିଛନ୍ତି।
ସ୍ଥାୟୀ ଭାବେ ସମସ୍ୟାର ସମାଧାନ ପାଇଁ ଅଞ୍ଚଳରେ ଉପଯୁକ୍ତ ଡ୍ରେନେଜ୍ ବ୍ୟବସ୍ଥା କରିବା ସହ ତୁରନ୍ତ ଜମିଥିବା ପାଣି ନିଷ୍କାସନ ପାଇଁ ପମ୍ପର ବ୍ୟବସ୍ଥା କରିବାକୁ ପ୍ରଶାସନ ନିକଟରେ ଅଞ୍ଚଳବାସୀ ଦାବି କରିଛନ୍ତି।
