ଗଞ୍ଜାମ (ଓଡ଼ିଶ୍ରୀ ସମ୍ବାଦ): ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ଗ୍ରାମ ପଞ୍ଚାୟତର ଝାଟିପଦର ଗ୍ରାମରେ ଚଳିତ ବର୍ଷ ଷୋଳ ବର୍ଷରେ ପଦାର୍ପଣ କରିଛି ଶାରଦୀୟ ନବରାତ୍ର ପୂଜା। ଗ୍ରାମରେ ବିଜେ ଭଗବତୀ କରୁଣାମୟୀ ଶ୍ରୀଶ୍ରୀ ମା’ ବୁଢ଼ୀ ଠାକୁରାଣୀଙ୍କ ଶକ୍ତିପୀଠରେ ପାରମ୍ପରିକ ରୀତିନୀତିରେ ଏହି ପୂଜା ମହାସମାରୋହରେ ଅନୁଷ୍ଠିତ ହେବ।
ଚଳିତ ଆଶ୍ୱିନ ମାସ କୃଷ୍ଣ ପକ୍ଷ ଅଷ୍ଟମୀ, ଅର୍ଥାତ୍ ୩ ଅକ୍ଟୋବର ୨୦୨୬ ଶନିବାରଠାରୁ ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ, ୧୮ ଅକ୍ଟୋବର ୨୦୨୬ ରବିବାର ପର୍ଯ୍ୟନ୍ତ ଷୋଡ଼ଶ ଦିବସାତ୍ମକ ଶାରଦୀୟ ଦୁର୍ଗାପୂଜା ଉତ୍ସବ ଆୟୋଜିତ ହେବ। ଏଥିସହ କ୍ଳେଶ ହରଣ ଅଖଣ୍ଡ ଦୀପ ଓ ମହାଯଜ୍ଞ ମଧ୍ୟ ପାରମ୍ପରିକ ରୀତିରେ ଅନୁଷ୍ଠିତ ହେବ।
ପ୍ରାୟ ଦୀର୍ଘ ୧୬ ବର୍ଷ ଧରି ଝାଟିପଦର ଗ୍ରାମରେ ଏହି ଶାରଦୀୟ ନବରାତ୍ର ପୂଜା ପାଳିତ ହୋଇଆସୁଛି। ମୁଖ୍ୟ ପୁରୋଧା ପଣ୍ଡିତ ଗୋପାଳ କୃଷ୍ଣ ବ୍ରହ୍ମାଙ୍କ ତତ୍ତ୍ୱାବଧାନରେ ପ୍ରତିବର୍ଷ ପୂଜାକାର୍ଯ୍ୟ ସମ୍ପନ୍ନ ହୋଇଥାଏ।
ଝାଟିପଦର ଗ୍ରାମବାସୀ, ବୁଢ଼ୀ ଠାକୁରାଣୀ ଯୁବଗୋଷ୍ଠୀ ଏବଂ ସ୍ଥାନୀୟ ଅଞ୍ଚଳର ଭକ୍ତମାନଙ୍କ ସହଯୋଗରେ ମା’ଙ୍କ ଏହି ପୂଜା ଓ ଯାତ୍ରା ଆୟୋଜିତ ହେଉଛି। ପୂଜା ଅବସରରେ ଭକ୍ତଙ୍କ ସମାଗମ ସହ ଗ୍ରାମରେ ଧାର୍ମିକ ପରିବେଶ ସୃଷ୍ଟି ହେବା ନେଇ ଆୟୋଜକମାନେ ଆଶା ପ୍ରକାଶ କରିଛନ୍ତି।
ଏହି ଧାର୍ମିକ ଉତ୍ସବରେ ଭକ୍ତମାନେ ଯୋଗଦେଇ ମା’ ବୁଢ଼ୀ ଠାକୁରାଣୀଙ୍କ ଆଶୀର୍ବାଦ ଲାଭ କରିବା ସହ ପୂଜା ଉତ୍ସବକୁ ସଫଳ କରିବା ପାଇଁ ଗ୍ରାମ ସଭାପତି ଓ ଗ୍ରାମବାସୀଙ୍କ ପକ୍ଷରୁ ନିବେଦନ କରାଯାଇଛି।
