ବାଉଁଶପାଳ, (ଓଡ଼ିଶ୍ରୀ ସମ୍ବାଦ): କେନ୍ଦୁଝର ଜିଲ୍ଲା ବାଉଁଶପାଳ ବ୍ଲକ ଅନ୍ତର୍ଗତ ଉପରଚାମ୍ପେଇ ଗ୍ରାମରେ ହାତୀ ଉପଦ୍ରବକୁ ନେଇ ଚାଷୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଦେଇଛି। ଗତକାଲି ବିଳମ୍ବିତ ରାତିରେ ଏକ ହାତୀ ଗ୍ରାମ ନିକଟସ୍ଥ ଧାନ ବିଲରେ ପଶି ଫସଲ ଦଳି ଚକଟି ନଷ୍ଟ କରିଥିବା ଜଣାପଡ଼ିଛି।
ଗ୍ରାମର ଚାଷୀ କୃଷ୍ଟ ଯୁଆଙ୍ଗଙ୍କ ଧାନ ବିଲରେ ହାତୀଟି ପଶି ଦୀର୍ଘ ସମୟ ଧରି ଫସଲ ନଷ୍ଟ କରିଥିବା ଜଣାପଡ଼ିଛି। ଧାନ ଫସଲ ପାଚିବା ସମୟରେ ହାତୀଙ୍କ ଏଭଳି ଉପଦ୍ରବ ଚାଷୀଙ୍କ ଚିନ୍ତା ବଢ଼ାଇଦେଇଛି। ହାତୀ ଦଳିଚକଟି ଦେବାରୁ ବହୁ ପରିମାଣର ଧାନ ଫସଲ କ୍ଷତିଗ୍ରସ୍ତ ହୋଇଥିବା ଚାଷୀ କହିଛନ୍ତି।
ଘଟଣା ପରେ ଅଞ୍ଚଳର ଚାଷୀଙ୍କ ମଧ୍ୟରେ ଭୟର ବାତାବରଣ ରହିଛି। ରାତି ସମୟରେ ହାତୀ ଗ୍ରାମ ଓ ଚାଷଜମି ନିକଟରେ ଘୂରି ବୁଲୁଥିବାରୁ ଲୋକେ ନିଜ ଜୀବନ ଓ ଫସଲର ସୁରକ୍ଷାକୁ ନେଇ ଚିନ୍ତିତ ଅଛନ୍ତି।
ହାତୀଙ୍କ ଗତିବିଧି ଉପରେ ନଜର ରଖିବା ସହ ଜନବସତିଠାରୁ ହାତୀଙ୍କୁ ଦୂରେଇବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଗ୍ରାମବାସୀ ବନ ବିଭାଗ ନିକଟରେ ଦାବି କରିଛନ୍ତି। ଏଥିସହ କ୍ଷତିଗ୍ରସ୍ତ ଚାଷଜମିର ଆକଳନ କରି ସରକାରୀ ନିୟମ ଅନୁଯାୟୀ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ମଧ୍ୟ ଦାବି ହୋଇଛି।
