ବାରିପଦା, (ଓଡ଼ିଶ୍ରୀ ସମ୍ବାଦ): ‘ସେବା ସଂକଳ୍ପ ଅଭିଯାନ-୨୦୨୬’ ଅବସରରେ ଆସନ୍ତା ଅକ୍ଟୋବର ୭ ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ‘ସେବା ଜ୍ୟୋତି ଯାତ୍ରା’ ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ହୋଇଛି। ଜିଲ୍ଲାପାଳ କାର୍ଯ୍ୟାଳୟସ୍ଥିତ ମହାତ୍ମା ଗାନ୍ଧୀ ସମ୍ମିଳନୀ କକ୍ଷରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ସାଧାରଣ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।
ଆୟୋଜକଙ୍କ ସୂଚନା ଅନୁଯାୟୀ, ଯାତ୍ରାରେ ପଦଯାତ୍ରା ସହ ବାଇକ୍ ରାଲି ମଧ୍ୟ ଆୟୋଜନ କରାଯିବ। ଛାତ୍ରଛାତ୍ରୀ, ଯୁବକଯୁବତୀ ଓ ମିଶନ ଶକ୍ତିର ମହିଳାଙ୍କ ସମେତ ପ୍ରାୟ ୧୦ ହଜାର ଅଂଶଗ୍ରହଣକାରୀ ଏଥିରେ ସାମିଲ ହେବା ନେଇ ଯୋଜନା ରହିଛି। ଏହି ଅବସରରେ ଅଂଶଗ୍ରହଣକାରୀମାନେ ଭର୍ଚୁଆଲ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସନ୍ଦେଶ ଶୁଣିବେ ବୋଲି କୁହାଯାଇଛି।
ଯାତ୍ରାର ସୁଚାରୁ ପରିଚାଳନା ପାଇଁ ଟ୍ରାଫିକ୍ ନିୟନ୍ତ୍ରଣ, ଆଇନଶୃଙ୍ଖଳା, ଯାତାୟାତ, ସୁରକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ଆବଶ୍ୟକୀୟ ବ୍ୟବସ୍ଥା ନେଇ ବୈଠକରେ ଆଲୋଚନା ହୋଇଥିଲା। ସମ୍ପୃକ୍ତ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଭାବେ ଆୟୋଜନ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ବୈଠକରେ ଜିଲ୍ଲାପାଳ ହେମକାନ୍ତ ସୟ, ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲ୍ଲୀ, ଅତିରିକ୍ତ ଜିଲ୍ଲାପାଳ ଅଜିତ୍ କୁମାର ଓ ଦୁଃଖବନ୍ଧୁ ନାୟକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଧର୍ମାନନ୍ଦ ବେହେରା, ଜିଲ୍ଲା ଚିକିତ୍ସାଧିକାରୀ ବିଶ୍ୱନାଥ ଦାସ, ବାରିପଦା ଉପଜିଲ୍ଲାପାଳ କସ୍ତୁରୀ ପଣ୍ଡା, ଜିଲ୍ଲା କ୍ରୀଡ଼ା ଅଧିକାରୀ ଡ. ଶୁଭାଶିଷ ନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ମୁନମୁନ ଗିରି, ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଓ ବାରିପଦା ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଦେବୀପ୍ରସାଦ ରାଉତଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।
