• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ରାଧାଶ୍ୟାମ ଚାରୁଲତା ଉପ୍ରା ବିଦ୍ୟାଳୟରେ ଝୁଲୁଛି ତାଲା

Byodishri Live

Oct 7, 2026

ବରୀ, (ଓଡ଼ିଶ୍ରୀ ସମ୍ବାଦ): ଯାଜପୁର ଜିଲ୍ଲା ବରୀ ବ୍ଲକ ଅଧୀନ କିମ୍ଭିରିଆପାଳ ପଞ୍ଚାୟତରେ ଥିବା ରାଧାଶ୍ୟାମ ଚାରୁଲତା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି। ୧୯୯୮ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ରହିଥିବା ବେଳେ ଛାତ୍ରଛାତ୍ରୀଙ୍କ ଅଭାବ ଯୋଗୁଁ ପ୍ରାୟ ବର୍ଷେ ହେଲା ବିଦ୍ୟାଳୟ ନିୟମିତ ଖୋଲୁନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ବିଦ୍ୟାଳୟରେ ଜଣେ ମାତ୍ର ଶିକ୍ଷୟିତ୍ରୀ ଅଛନ୍ତି। ସେ ନିୟମିତ ବିଦ୍ୟାଳୟକୁ ଆସୁନଥିବା ଏବଂ ପ୍ରାୟ ସାତ ଦିନରେ ଥରେ ଆସି ତାଲା ଖୋଲି କିଛି ସମୟ ରହି ଚାଲିଯାଉଥିବା ସେମାନେ ଅଭିଯୋଗ କରିଛନ୍ତି। ବୁଧବାର ଅନ୍ୟ ବିଦ୍ୟାଳୟଗୁଡ଼ିକ ଖୋଲା ଥିବା ବେଳେ ଏହି ବିଦ୍ୟାଳୟରେ ତାଲା ଝୁଲୁଥିବା ଦେଖାଯାଇଥିବା କୁହାଯାଇଛି।

ଏଥିସହ ବିଦ୍ୟାଳୟରେ ଛାତ୍ରଛାତ୍ରୀ ନଥିବା ସତ୍ତ୍ୱେ ମଧ୍ୟାହ୍ନ ଭୋଜନ, ପୋଷାକ ଆଦି ସମ୍ପର୍କରେ କାଗଜପତ୍ରରେ ତଥ୍ୟ ଦର୍ଶାଯାଉଥିବା ନେଇ ମଧ୍ୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଶିକ୍ଷୟିତ୍ରୀ ଘରେ ବସି ବେତନ ନେଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ତେବେ ଏହି ଅଭିଯୋଗଗୁଡ଼ିକର ସତ୍ୟତା ଅଧିକାରୀଙ୍କ ତଦନ୍ତ ପରେ ସ୍ପଷ୍ଟ ହେବ।

ଏନେଇ ଦାୟିତ୍ୱରେ ଥିବା ସିଆରସିଙ୍କୁ ପଚାରିବାରୁ, ସମ୍ପୃକ୍ତ ଶିକ୍ଷୟିତ୍ରୀ ସେହି ଦିନ ଛୁଟି ପାଇଁ ଦରଖାସ୍ତ ଦେଇଥିବା ସେ କହିଥିଲେ। ତେବେ ଜଣେ ଶିକ୍ଷୟିତ୍ରୀ ଛୁଟିରେ ଥିଲେ ବିଦ୍ୟାଳୟର ଶିକ୍ଷାଦାନ ବ୍ୟବସ୍ଥା କିପରି ଚାଲୁଛି ଏବଂ ବିକଳ୍ପ ଶିକ୍ଷକଙ୍କ ବ୍ୟବସ୍ଥା ହୋଇଛି କି ନାହିଁ, ତାହାକୁ ନେଇ ପ୍ରଶ୍ନ ଉଠିଛି।

ନୂତନ କରି ବରୀ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ଭାବେ ଦାୟିତ୍ୱ ନେଇଥିବା ଅଭୟ କୁମାର ବେହେରାଙ୍କୁ ଏନେଇ ପଚାରିବାରୁ, ଘଟଣାର ତଦନ୍ତ କରାଯାଇ ଆବଶ୍ୟକ ହେଲେ ନିୟମାନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

ବିଦ୍ୟାଳୟରେ ତାଲା ଝୁଲିବା ଘଟଣାର ତଦନ୍ତ କରି ପ୍ରକୃତ ସ୍ଥିତି ସ୍ପଷ୍ଟ କରିବା ସହ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ଓ ବିଦ୍ୟାଳୟ ପରିଚାଳନା ସ୍ୱାଭାବିକ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *