• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଅକ୍ଟୋବର ୮ ଓଡ଼ିଶା ବନ୍ଦକୁ ନେଇ କୋରାପୁଟରେ କଂଗ୍ରେସର ପ୍ରସ୍ତୁତି

Byodishri Live

Oct 7, 2026

ଲକ୍ଷ୍ମୀପୁର, (ଓଡ଼ିଶ୍ରୀ ସମ୍ବାଦ): ଆସନ୍ତା ୮ ତାରିଖରେ ଇଣ୍ଡିଆ ଆଲାଏନ୍ସ ପକ୍ଷରୁ ଆହୂତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦକୁ ସଫଳ କରିବା ପାଇଁ କୋରାପୁଟ ଜିଲ୍ଲାରେ କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଏନେଇ ବୁଧବାର ଲକ୍ଷ୍ମୀପୁର ଡାକବଙ୍ଗଳାଠାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା।

ଜିଲ୍ଲା କଂଗ୍ରେସ ସଭାପତି ଡ. ରୂପକ କୁମାର ତୁରୁକଙ୍କ ନେତୃତ୍ୱରେ ଆୟୋଜିତ ସମ୍ମିଳନୀରେ ଅକ୍ଟୋବର ୮ ବନ୍ଦର ଆଭିମୁଖ୍ୟ ଓ ଦାବି ସମ୍ପର୍କରେ ଦଳ ପକ୍ଷରୁ ସୂଚନା ଦିଆଯାଇଥିଲା। MMDR ବିଲ୍‌ ପ୍ରତ୍ୟାହାର, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା, ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଏବଂ ବନ୍ୟା ପ୍ରଭାବିତଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନକୁ ପ୍ରମୁଖ ଦାବି ଭାବେ ଉପସ୍ଥାପନ କରାଯାଇଛି। ଏହି ଦାବିଗୁଡ଼ିକ ରାଜ୍ୟସ୍ତରୀୟ ବନ୍ଦର ଘୋଷିତ ପ୍ରସଙ୍ଗ ସହ ସମ୍ପର୍କିତ।

କଂଗ୍ରେସ ନେତାମାନେ ଅଭିଯୋଗ କରିଛନ୍ତି ଯେ, MMDR ସଂଶୋଧନକୁ ନେଇ ଓଡ଼ିଶାର ଖଣିଜ ସମ୍ପଦ ଓ ରାଜସ୍ୱ ସ୍ୱାର୍ଥ ପ୍ରଭାବିତ ହେବ। ଏହି କାରଣରୁ ବିଲ୍‌ ପ୍ରତ୍ୟାହାର ଦାବି କରାଯାଇଛି। ତେବେ MMDR ସଂଶୋଧନକୁ ନେଇ ବିରୋଧୀଙ୍କ ଅଭିଯୋଗକୁ ଶାସକ ଦଳ ପକ୍ଷରୁ ଖଣ୍ଡନ କରାଯାଇଛି।

ସେହିପରି ଭୋଟର ତାଲିକାରୁ ନାମ ବାଦ ପଡ଼ିବା ନେଇ କଂଗ୍ରେସ ନିର୍ବାଚନ ଆୟୋଗର ଭୂମିକା ଉପରେ ପ୍ରଶ୍ନ ଉଠାଇ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଛି। ଶିକ୍ଷା ବ୍ୟବସ୍ଥାରେ ତ୍ରୁଟି ଅଭିଯୋଗ କରି ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ମଧ୍ୟ ଦାବି କରାଯାଇଛି।

ଅନ୍ୟପକ୍ଷରେ, ରାଜ୍ୟର ବିଭିନ୍ନ ଅଞ୍ଚଳରେ ବନ୍ୟା ଓ ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ପରିବାରଙ୍କୁ ତୁରନ୍ତ ସହାୟତା ଓ ପୁନର୍ବାସ ସୁବିଧା ଯୋଗାଇଦେବାକୁ କଂଗ୍ରେସ ଦାବି କରିଛି।

ସାମ୍ବାଦିକ ସମ୍ମିଳନୀରେ କୋରାପୁଟ ଲୋକସଭା ଅବଜର୍ଭର ତଥା ପୂର୍ବତନ ବିଧାୟକ ଭରତ ଭୂଷଣ ବିମଲ, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁନ୍ତା, ପୂର୍ବତନ ବିଧାୟକ ନିମାଇଁ ସରକାର, ସାଂସଦ ପ୍ରତିନିଧି ଜିତେନ୍ଦ୍ର ବିଶୋଇଙ୍କ ସମେତ ଜିଲ୍ଲା ଓ ବ୍ଲକ କଂଗ୍ରେସର ବହୁ ନେତା ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ଆସନ୍ତା ୮ ତାରିଖର ୧୨ ଘଣ୍ଟିଆ ବନ୍ଦକୁ ସଫଳ କରିବା ସହ ଦଳର ଦାବିଗୁଡ଼ିକ ନେଇ ଜନସାଧାରଣ, ବ୍ୟବସାୟୀ ଓ ବିଭିନ୍ନ ସାମାଜିକ ସଂଗଠନର ସହଯୋଗ ଲୋଡ଼ିଛି କଂଗ୍ରେସ।

Spread the love

Leave a Reply

Your email address will not be published. Required fields are marked *