ମୁରିବାହାଲ (ଓଡ଼ିଶ୍ରୀ ସମ୍ବାଦ): ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଥାନା ଅନ୍ତର୍ଗତ ରାୟପୁର-ଗୋପାଳପୁର ୫୯ ନମ୍ବର ଜାତୀୟ ରାଜପଥର ସିରୋଲ ଓ ବେଲପଦର ନିକଟରେ ଏକ ଚଳନ୍ତା ଟ୍ରକ୍ରେ ନିଆଁ ଲାଗିଯାଇଛି। ଆଜି ମଧ୍ୟାହ୍ନ ପ୍ରାୟ ୨ଟା ୩୦ ମିନିଟ୍ରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ଟ୍ରକ୍ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଜଳିଯାଇଛି। ତେବେ ଡ୍ରାଇଭର ଓ ତାଙ୍କ ୧୫ ବର୍ଷୀୟ ନାବାଳକ ପୁଅ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି।
ସୂଚନା ଅନୁଯାୟୀ, CG 06 GL 7281 ନମ୍ବର ବିଶିଷ୍ଟ ଟ୍ରକ୍ଟି ଟିଟିଲାଗଡ଼ରୁ ସିମେଣ୍ଟ ଅନଲୋଡ୍ କରି ଖରିଆର ଅଭିମୁଖେ ଯାଉଥିଲା। ସିରୋଲ ନିକଟରେ ହଠାତ୍ ଟ୍ରକ୍ର ଇଞ୍ଜିନ୍ ବନ୍ଦ ହୋଇଯିବାରୁ ଡ୍ରାଇଭର ରାମ ପ୍ୟାରା ଛତ୍ରିଆ ଗାଡ଼ିଟିକୁ ରାସ୍ତାକଡ଼ରେ ରଖି ଯାଞ୍ଚ କରିବାକୁ ତଳକୁ ଓହ୍ଲାଇଥିଲେ। ଏହି ସମୟରେ ଟ୍ରକ୍ର ୱାରିଂରେ ସର୍ଟ ସର୍କିଟ୍ ହୋଇ ନିଆଁ ଲାଗିଯାଇଥିବା ଜଣାପଡ଼ିଥିଲା।
ନିଆଁ ଦେଖି ଡ୍ରାଇଭର ଓ ତାଙ୍କ ପୁଅ ତୁରନ୍ତ ଗାଡ଼ିରୁ ଓହ୍ଲାଇ ଦୂରକୁ ଚାଲିଯାଇଥିଲେ। ଦେଖୁ ଦେଖୁ ନିଆଁ ଟ୍ରକ୍ର ସମ୍ମୁଖ ଭାଗକୁ ବ୍ୟାପିଯାଇଥିଲା।
ଖବର ପାଇ ଟିଟିଲାଗଡ଼ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟର ଉଦ୍ୟମ ପରେ ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ଟ୍ରକ୍ଟି ବହୁ ପରିମାଣରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବାପ-ପୁଅ ସୁରକ୍ଷିତ ଥିବାରୁ ଆଶ୍ୱସ୍ତି ପ୍ରକାଶ ପାଇଛି।
