ବାଲିଆପାଳ, (ଓଡ଼ିଶ୍ରୀ ସମ୍ବାଦ): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ କଲେଜ କ୍ୟାମ୍ପସରେ ଫେରିଛି ନିର୍ବାଚନୀ ଉତ୍ସାହ। ଆସନ୍ତା ୧୫ ତାରିଖରେ କଲେଜଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଥିବାରୁ ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ପ୍ରଚାର ଜୋରଦାର ହୋଇଛି। ନିଜ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ହାତେଇବା ପାଇଁ ଶେଷ ମୁହୂର୍ତ୍ତରେ ଚାଲିଛି ଜୋରଦାର ଉଦ୍ୟମ।
ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକର ସୁବର୍ଣ୍ଣରେଖା ମହାବିଦ୍ୟାଳୟ ଓ କୃଷ୍ଣଚନ୍ଦ୍ର ପିପିଲି ମହାବିଦ୍ୟାଳୟରେ କ୍ୟାମ୍ପସ ରାଜନୀତି ଜୋର୍ ଧରିଛି। ଏହି ଦୁଇଟି କଲେଜରେ ମୁଖ୍ୟତଃ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଥିବାରୁ ନିର୍ବାଚନୀ ମାହୋଲ ଅଧିକ ସରଗରମ ହୋଇପଡ଼ିଛି। ଏବିଭିପି, ବିସିଜେଡି ଓ ଅନ୍ୟ ଛାତ୍ର ସଂଗଠନଗୁଡ଼ିକ ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଜାରି ରଖିଛନ୍ତି।
ଅନ୍ୟପକ୍ଷରେ, ସୁବର୍ଣ୍ଣରେଖା ମହାବିଦ୍ୟାଳୟରେ ଗତକାଲି ବିଳମ୍ବିତ ରାତିରେ ଏବିଭିପିର ଜଣେ ପ୍ରାର୍ଥୀଙ୍କ ଉପରେ ଆଇଏଏସ୍ଓ ଛାତ୍ର ସଂଗଠନ ପକ୍ଷରୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଦୁଇ ଛାତ୍ର ଆହତ ହୋଇଥିବା ଜଣାପଡ଼ିଛି। ଘଟଣାକୁ ନେଇ କ୍ୟାମ୍ପସରେ ଉତ୍ତେଜନା ଲାଗି ରହିଥିବା ବେଳେ ଆଜି ଛାତ୍ର ବିଜେଡି ପକ୍ଷରୁ ଜୋରଦାର ପ୍ରଚାର କରାଯାଇଛି।
ଦୀର୍ଘ ବର୍ଷ ପରେ କଲେଜ କ୍ୟାମ୍ପସରେ ନିର୍ବାଚନ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ସହ ସ୍ଥାନୀୟ ରାଜନୈତିକ ନେତାମାନେ ମଧ୍ୟ ସକ୍ରିୟ ହୋଇପଡ଼ିଛନ୍ତି। ଏବେ ସମସ୍ତଙ୍କ ନଜର ଆସନ୍ତା ୧୫ ତାରିଖର ନିର୍ବାଚନ ଫଳାଫଳ ଉପରେ।
