ବଡ଼ଚଣା, (ଓଡ଼ିଶ୍ରୀ ସମ୍ବାଦ): ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଧାଉଡିଆପଦା ଓ ଆଜାଦନଗର ଗ୍ରାମରେ ଦୁଇ ଜଣଙ୍କ ମୃତ୍ୟୁକୁ ନେଇ ଶୋକର ଛାୟା ଖେଳିଯାଇଛି। ଜଣେ ଅସୁସ୍ଥତା କାରଣରୁ ଏବଂ ଅନ୍ୟ ଜଣେ ସଡ଼କ ଦୁର୍ଘଟଣାରେ ଆହତ ହେବା ପରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି।
ସୂଚନା ଅନୁଯାୟୀ, ଧାଉଡିଆପଦା ଗ୍ରାମର ରାମଚନ୍ଦ୍ର ଦାସଙ୍କ ପୁଅ ତପନ ବାସ (୩୭) ଅସୁସ୍ଥ ହେବାରୁ ପରିବାରବର୍ଗ ତାଙ୍କୁ କଟକର ଏକ ଘରୋଇ ନର୍ସିଂହୋମରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଥିବାବେଳେ ବୁଧବାର ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା।
ଅନ୍ୟପକ୍ଷରେ, ଆଜାଦନଗର ଗ୍ରାମର ସେକ୍ ଅବୁତାହେର ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଥିଲେ। ବୁଧବାର ସକାଳେ ସେ ମଧ୍ୟ ଆଖି ବୁଜିଥିଲେ। ପରେ ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ନିଆଯାଇ କବର ଦିଆଯାଇଥିଲା।
ଏହି ଦୁଃଖଦ ଖବର ପାଇ ବଡ଼ଚଣାର ଯୁବ କଂଗ୍ରେସ ନେତା ଅଜୟ କୁମାର ସାମଲ ଉଭୟ ଗ୍ରାମରେ ପହଞ୍ଚି ମୃତକଙ୍କ ଶେଷ ଦର୍ଶନ କରିଥିଲେ। ଏଥିସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସାନ୍ତ୍ୱନା ଦେବା ସହ ଗଭୀର ସମବେଦନା ଜଣାଇଥିଲେ।
ଦୁଇ ଜଣଙ୍କ ମୃତ୍ୟୁରେ ଧାଉଡିଆପଦା ଓ ଆଜାଦନଗର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
