ନୂଆପଡ଼ା (ଓଡ଼ିଶ୍ରୀ ସମ୍ବାଦ): ନୂଆପଡ଼ା ଜିଲ୍ଲା ଭେଲାସ୍ଥିତ ଡଃ କାଟଜୁ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଛାତ୍ର ଆଇନ ସାକ୍ଷରତା କ୍ଲବର ସଦସ୍ୟମାନଙ୍କୁ ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଜୟ କୁମାର ବେହେରା, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଧିକାର ମିତ୍ରମାନେ ଯୋଗଦେଇଥିଲେ।
ଏହି ଅବସରରେ ସଚିବ ନବନୀତା ଦାଶ ଛାତ୍ର ଆଇନ ସାକ୍ଷରତା କ୍ଲବର ଉଦ୍ଦେଶ୍ୟ, କାର୍ଯ୍ୟପ୍ରଣାଳୀ ଏବଂ ମାଗଣା ଆଇନ ସେବା ପ୍ରଦାନ କ୍ଷେତ୍ରରେ କ୍ଲବର ଭୂମିକା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ।
ଏଥିସହ ଜିଲ୍ଲା ଆଇନ ସେବା ପ୍ରାଧିକରଣର କାର୍ଯ୍ୟକଳାପ, ଜାତୀୟ ଆଇନ ସେବା ପ୍ରାଧିକରଣ ପକ୍ଷରୁ ପ୍ରଚଳିତ ବିଭିନ୍ନ ଯୋଜନା, ପୀଡ଼ିତା କ୍ଷତିପୂରଣ ଯୋଜନା, ମାଗଣା ଆଇନ ସହାୟତା ଓ ମଧ୍ୟସ୍ଥତା ପ୍ରକ୍ରିୟା ଆଦି ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ।
ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଇନ ସମ୍ପର୍କିତ ଜ୍ଞାନ ଓ ଅଧିକାର ପ୍ରତି ସଚେତନତା ବୃଦ୍ଧି କରିବା ସହ ଆବଶ୍ୟକ ସମୟରେ ମାଗଣା ଆଇନ ସହାୟତା କିପରି ମିଳିପାରିବ, ସେ ସମ୍ପର୍କରେ ଏହି ଶିବିର ଉପଯୋଗୀ ହୋଇଥିଲା।
