(ଓଡ଼ିଶ୍ରୀ ସମ୍ବାଦ): ଚଳିତ ଖରିଫ ଋତୁ ୨୦୨୬-୨୭ରେ ଧାନ ବିକ୍ରି ପାଇଁ ଚାଷୀଙ୍କ ପଞ୍ଜୀକରଣରେ ଓଡ଼ିଶା ସୃଷ୍ଟି କରିଛି ନୂଆ ରେକର୍ଡ। ଏଥର ରାଜ୍ୟରେ ସର୍ବକାଳୀନ ରେକର୍ଡ ସଂଖ୍ୟକ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଚଳିତ ବର୍ଷ ମୋଟ ୨୨ ଲକ୍ଷ ୨୮ ହଜାର ଚାଷୀ ଧାନ ବିକ୍ରି ପାଇଁ ସଫଳତାର ସହ ପଞ୍ଜୀକରଣ କରିଛନ୍ତି। ଗତବର୍ଷ ଏହି ସଂଖ୍ୟା ଥିଲା ୧୯ ଲକ୍ଷ ୬୭ ହଜାର। ଅର୍ଥାତ୍, ଗତବର୍ଷ ତୁଳନାରେ ଚଳିତ ବର୍ଷ ପ୍ରାୟ ୨ ଲକ୍ଷ ୬୧ ହଜାରରୁ ଅଧିକ ଚାଷୀ ଅତିରିକ୍ତ ଭାବେ ପଞ୍ଜୀକରଣ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ଅଦିନିଆ ପ୍ରବଳ ବର୍ଷା ଯୋଗୁଁ ଅନେକ ଚାଷୀ ନିର୍ଦ୍ଧାରିତ ଅଗଷ୍ଟ ୩୧ ତାରିଖ ସୁଦ୍ଧା ପଞ୍ଜୀକରଣ କରିପାରିନଥିଲେ। ଚାଷୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ପଞ୍ଜୀକରଣ ଅବଧିକୁ ସେପ୍ଟେମ୍ବର ୭ ତାରିଖ ପର୍ଯ୍ୟନ୍ତ ବଢ଼ାଯାଇଥିଲା। ଏବେ ପଞ୍ଜୀକରଣ ପ୍ରକ୍ରିୟା ଶେଷ ହୋଇଛି। ଏହି ରେକର୍ଡ ସଂଖ୍ୟକ ପଞ୍ଜୀକରଣ ଚାଷୀଙ୍କ ମଧ୍ୟରେ ସରକାରଙ୍କ କୃଷକ କଲ୍ୟାଣକାରୀ ନୀତି ପ୍ରତି ଥିବା ଭରସାର ପ୍ରତିଫଳନ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ।
ଚାଷୀଙ୍କୁ ଉଚିତ ମୂଲ୍ୟ ପ୍ରଦାନ, ସ୍ୱଚ୍ଛ ଧାନ କ୍ରୟ ବ୍ୟବସ୍ଥା ଏବଂ ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଟଙ୍କା ପଠାଇବା ଦିଗରେ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମନ୍ତ୍ରୀ କହିଛନ୍ତି।ସେହିପରି, ସମସ୍ତ ପଞ୍ଜୀକୃତ ଯୋଗ୍ୟ ଚାଷୀଙ୍କଠାରୁ ଧାନ କିଣାଯିବ ଏବଂ କୌଣସି ଯୋଗ୍ୟ ଚାଷୀ ଧାନ ବିକ୍ରିରୁ ବଞ୍ଚିତ ହେବେ ନାହିଁ ବୋଲି ମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି।
