ଭଦ୍ରକ (ଓଡ଼ିଶ୍ରୀ ସମ୍ବାଦ): ରାତିର ଅନ୍ଧାରରେ ଆତଙ୍କ ଖେଳାଇଲେ ଦୁର୍ବୃତ୍ତ। ବନ୍ଧୁକରୁ ଫୁଟିଲା ଗୁଳି, ପରିବାର ଲୋକଙ୍କୁ ବାନ୍ଧି ନିର୍ଧୁମ ମାଡ଼ ମାରିବା ପରେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ନଗଦ ଟଙ୍କା। ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅଧୀନ ରଇପୁର ପଞ୍ଚାୟତର କଣ୍ଟିକା ଗ୍ରାମରେ ଘଟିଛି ଏଭଳି ଏକ ଭୟାନକ ଡକାୟତି ଘଟଣା। ଏହି ଘଟଣା ପରେ ଗାଁରେ ଭୟର ବାତାବରଣ ଖେଳିଯାଇଛି।
ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ପିତବାସ ରାଉତଙ୍କ ଘରେ ଚାରିଜଣ ଦୁର୍ବୃତ୍ତ ପଶି ଏହି ଲୁଟ୍ପାଟ୍ କରିଥିଲେ। ପିତବାସ ଶୌଚ ପାଇଁ ଘର ବାହାରକୁ ଆସିଥିବା ସମୟରେ ଦୁର୍ବୃତ୍ତମାନେ ତାଙ୍କୁ ଅଟକାଇ ବନ୍ଧୁକରୁ ଫାଙ୍କା ଗୁଳି ଫୁଟାଇ ଭୟଭୀତ କରିଥିଲେ। ପରେ ତାଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଘର ବାହାରେ ବାନ୍ଧି ଦେଇଥିଲେ।
ଏହାପରେ ଦୁର୍ବୃତ୍ତମାନେ ଘର ଭିତରକୁ ପଶି ପରିବାରର ଅନ୍ୟ ସଦସ୍ୟଙ୍କୁ ବନ୍ଧୁକ ଦେଖାଇ ଧମକ ଦେଇଥିଲେ। ଶାବଳରେ ଆକ୍ରମଣ କରିବା ସହ ସେମାନଙ୍କ ହାତଗୋଡ଼ ବାନ୍ଧି ଦେଇଥିଲେ। ଏପରିକି ପରିବାର ସଦସ୍ୟଙ୍କ ପିନ୍ଧିଥିବା ସୁନା ଅଳଙ୍କାର ମଧ୍ୟ ଜୋରଜବରଦସ୍ତ ଖୋଲି ନେଇଥିଲେ। ପରେ ସମସ୍ତଙ୍କୁ ଏକ କୋଠରୀରେ ବନ୍ଦ କରି ଆଲମିରା ଓ ଟ୍ରଙ୍କ ଭାଙ୍ଗି ଘରେ ଥିବା ସୁନାଗହଣା ଓ ନଗଦ ଟଙ୍କା ଲୁଟି ନେଇଥିଲେ।
ପିତବାସଙ୍କ ପୁଅ ବାହାରେ ରହୁଥିବାରୁ ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଏଭଳି ଯୋଜନାବଦ୍ଧ ଲୁଟ୍ କରିଥିବା ଗ୍ରାମବାସୀଙ୍କ ପକ୍ଷରୁ କୁହାଯାଇଛି।
ଘଟଣା ସମ୍ପର୍କରେ ଖବର ପାଇ ଧୁଷୁରୀ ଥାନା ପୋଲିସ, ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାସ୍ଥଳରୁ କିଛି ଅଫୁଟା ଗୁଳି ଜବତ କରାଯାଇଥିବା ବେଳେ ପୋଲିସ ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।
ତେବେ ରାତି ଅଧରେ ଏଭଳି ବନ୍ଧୁକ ମୁନରେ ଡକାୟତି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଓ ଅସନ୍ତୋଷ ଦେଖାଦେଇଛି। ଏହି ଲୁଟ୍ରେ ସମ୍ପୃକ୍ତ ଅନ୍ୟ ଦୁର୍ବୃତ୍ତଙ୍କୁ ଚିହ୍ନଟ କରି ଧରିବା ସହ ଲୁଟ୍ ସାମଗ୍ରୀ ଉଦ୍ଧାର କରିବା ପୋଲିସ ପାଇଁ ଏବେ ଚ୍ୟାଲେଞ୍ଜ ହୋଇଛି।
