ଗୋଇମୁଣ୍ଡ ଗାଁ ରାସ୍ତା ନିର୍ମାଣରେ ନିମ୍ନମାନର ଅଭିଯୋଗ, ପିଚୁ ଘୋଳ ପକାଇ ଦୋଷ ଲୁଚାଇବାକୁ ଉଦ୍ୟମ!
ବଲାଙ୍ଗୀର/କଣ୍ଟାବାଞ୍ଜି (ଓଡ଼ିଶ୍ରୀ ସମ୍ବାଦ): ଗ୍ରାମାଞ୍ଚଳର ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ନିର୍ମାଣ ହେଉଥିବା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ରାସ୍ତା କାମକୁ ନେଇ ଉଠିଛି ଗୁରୁତର ପ୍ରଶ୍ନ। ନିର୍ମାଣ କାର୍ଯ୍ୟ ଶେଷ ହେବାର ମାତ୍ର ୬ ମାସ ନପୂରୁଣୁ ରାସ୍ତାରୁ ପିଚୁ ଉଠିବା ସହ ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଛି। ଏପରିକି ରାସ୍ତାର କିଛି ଅଂଶ ଦବି ଯାଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।
ଏନ୍ଏଚ୍-୨୧୭ରୁ ଗୋଇମୁଣ୍ଡ ଗାଁ ପର୍ଯ୍ୟନ୍ତ ପ୍ରାୟ ୫.୫ କିଲୋମିଟର ରାସ୍ତା ନିର୍ମାଣ ପାଇଁ ୫୨୨.୪୯ ଲକ୍ଷ ଟଙ୍କାର ଅଟକଳ ରହିଥିବା ସୂଚନା ମିଳିଛି। ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ଏହି ରାସ୍ତାର ନିର୍ମାଣ କାମ ହୋଇଥିଲା। ତେବେ ଏତେ କମ୍ ସମୟ ମଧ୍ୟରେ ରାସ୍ତାର ପିଚୁ ଉଠିବା, ଫାଟ ସୃଷ୍ଟି ହେବା ଏବଂ ରାସ୍ତା ଦବିବା ଘଟଣାକୁ ନେଇ ନିର୍ମାଣର ଗୁଣବତ୍ତା ଉପରେ ପ୍ରଶ୍ନ ଉଠାଇଛନ୍ତି ଗ୍ରାମବାସୀ।
ଅଭିଯୋଗ ଅନୁଯାୟୀ, ରାସ୍ତାର ଫାଟିଥିବା ସ୍ଥାନଗୁଡ଼ିକରେ ପିଚୁ ଘୋଳ ପକାଇ ମରାମତି କରାଯାଉଛି। ଏହା ମାଧ୍ୟମରେ ନିର୍ମାଣର ତ୍ରୁଟିକୁ ଲୁଚାଇବାକୁ ଉଦ୍ୟମ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ରାସ୍ତା ନିର୍ମାଣରେ ଠିକାଦାର ଓ ନିୟୋଜିତ ଯନ୍ତ୍ରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଥିବା ଏବଂ କନିଷ୍ଠ ଯନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ମଧ୍ୟ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି।
ଏଥିସହ ଟେଣ୍ଡର ପ୍ରକ୍ରିୟାରେ ନିୟମ ଅବହେଳା ଏବଂ ଠିକା ପାଇଥିବା ସଂସ୍ଥା ଅନ୍ୟ ଜଣଙ୍କୁ କାମ ହସ୍ତାନ୍ତର କରିଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ନିର୍ମାଣରେ ନିମ୍ନମାନର ସାମଗ୍ରୀ ବ୍ୟବହାର ହୋଇଥିବା ଅଭିଯୋଗ ସହ ସମଗ୍ର କାର୍ଯ୍ୟରେ ଅନିୟମିତତା ହୋଇଥିବା ଦାବି କରିଛନ୍ତି ଗ୍ରାମବାସୀ।
ଏତେ ଅର୍ଥ ବ୍ୟୟରେ ନିର୍ମିତ ରାସ୍ତା ଯଦି ମାତ୍ର କିଛି ମାସ ମଧ୍ୟରେ ନଷ୍ଟ ହେବାକୁ ଲାଗେ, ତେବେ ଏହାର ସ୍ଥାୟିତ୍ୱକୁ ନେଇ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠିବ। ତେଣୁ ରାସ୍ତା ନିର୍ମାଣର ଗୁଣବତ୍ତା, ବ୍ୟବହୃତ ସାମଗ୍ରୀ ଓ ଟେଣ୍ଡର ପ୍ରକ୍ରିୟାର ଉଚ୍ଚସ୍ତରୀୟ ତଦନ୍ତ କରିବା ସହ ଦୋଷୀଙ୍କ ବିରୋଧରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।
