• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଡାଙ୍ଗେସି ଭୂସ୍ଖଳନ ଘଟଣା: ନିଖୋଜ ତିନି ଜଣଙ୍କ ମୃତଦେହ ଉଦ୍ଧାର, ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା

Byodishri Live

Oct 31, 2026

ମାଣିକେଶ୍ୱର ପଞ୍ଚାୟତରେ ମନ୍ତ୍ରୀଙ୍କ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ, ୮୦୭ ଏକର ଫସଲ କ୍ଷତିର ଆକଳନ

ଫୁଲବାଣୀ (ଓଡ଼ିଶ୍ରୀ ସମ୍ବାଦ): କନ୍ଧମାଳ ଜିଲ୍ଲାରେ ଲଗାଣ ବର୍ଷା ପରେ ଘଟିଥିବା ଭୂସ୍ଖଳନ ଅଞ୍ଚଳବାସୀଙ୍କ ପାଇଁ ଦୁଃଖଦ ପରିସ୍ଥିତି ସୃଷ୍ଟି କରିଛି। ରାଇକିଆ ବ୍ଲକ ମାଣିକେଶ୍ୱର ପଞ୍ଚାୟତ ଅନ୍ତର୍ଗତ ଡାଙ୍ଗେସି ଗ୍ରାମରେ ଭୂସ୍ଖଳନ ଯୋଗୁଁ ନିଖୋଜ ହୋଇଥିବା ଗୋଟିଏ ପରିବାରର ତିନି ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ମଧ୍ୟରେ ସାତ ମାସର ଶିଶୁ ମଧ୍ୟ ରହିଛି। ଏହି ଦୁଃଖଦ ଘଟଣା ପରେ ମୃତକଙ୍କ ପରିବାର ପାଇଁ ଜଣପିଛା ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରାଯାଇଛି।

ସୂଚନା ଅନୁଯାୟୀ, ଭୂସ୍ଖଳନରେ ଅଚ୍ୟୁତ ପ୍ରଧାନ, ତାଙ୍କ ସ୍ତ୍ରୀ ମାନସୀ ପ୍ରଧାନ ଏବଂ ସେମାନଙ୍କ ସାତ ମାସର ଶିଶୁ ନିଖୋଜ ହୋଇଥିଲେ। ଘରଠାରୁ ପ୍ରାୟ ୨୦୦ ମିଟର ଦୂରରେ ମାଟି ଅତଡ଼ା ଓ ପଙ୍କ ମଧ୍ୟରେ ମୃତଦେହ ମିଳିଥିବା ଜଣାପଡ଼ିଛି। ଗୁରୁବାର ସକାଳେ ଅଚ୍ୟୁତଙ୍କ ପୁଅଙ୍କୁ ଉଦ୍ଧାର କରାଯାଇଥିବା ମଧ୍ୟ ସୂଚନା ମିଳିଛି।

ଘଟଣା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରିଲିଫ୍‌, ଉଦ୍ଧାର ଓ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ପ୍ରଭାବିତ ଲୋକଙ୍କୁ ଚୁଡ଼ା, ଚିନି, କିରୋସିନ ଓ ମହମବତୀ ଆଦି ଯୋଗାଇ ଦିଆଯାଇଛି। ଭୂସ୍ଖଳନ ଯୋଗୁଁ କେତେକ ଘର ସମ୍ପୂର୍ଣ୍ଣ ଭାବେ ଭାସିଯାଇଥିବା ବେଳେ ରାସ୍ତାଘାଟ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଏହାର ମରାମତି ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି।

ଏହି ଭୂସ୍ଖଳନ ଘଟଣା ପୂର୍ବରୁ ଅଞ୍ଚଳରେ ଏଭଳି କୌଣସି ଘଟଣା ଘଟିନଥିବା ବେଳେ ଏହା ଆକସ୍ମିକ ଭାବେ ଘଟିଥିବା ଗ୍ରାମବାସୀ କହିଛନ୍ତି। ଉଦ୍ଧାର କାର୍ଯ୍ୟ ସମୟରେ ପ୍ରବଳ ବର୍ଷା, ପାଣିର ସ୍ରୋତ ଓ ମାଟି ଅତଡ଼ା ଖସିବା ଯୋଗୁଁ ସନ୍ଧାନ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା।

ଅନ୍ୟପକ୍ଷରେ, ରାଇକିଆ ଓ ଘୁ.ଉଦୟଗିରି ସମେତ ଦାରିଙ୍ଗବାଡ଼ି ଅଞ୍ଚଳର କେତେକ ସ୍ଥାନରେ ମଧ୍ୟ ଭୂସ୍ଖଳନ ଓ ଗଛ ଉପୁଡ଼ିବା ଘଟଣା ଘଟିଛି। ଲଗାଣ ବର୍ଷା ଯୋଗୁଁ ପ୍ରାୟ ୮୦୭ ଏକର ଜମିରେ ଫସଲ କ୍ଷତି ହୋଇଥିବା ଆକଳନ କରାଯାଇଛି। ଗୃହପାଳିତ ପଶୁଙ୍କ କ୍ଷତି ହୋଇଥିଲେ ସେଥିପାଇଁ ମଧ୍ୟ କ୍ଷତିପୂରଣ ଦିଆଯିବ ବୋଲି ଜିଲ୍ଲାପାଳ ବେଦଭୂଷଣ ସୂଚନା ଦେଇଛନ୍ତି।

ଶୁକ୍ରବାର ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ମାଣିକେଶ୍ୱର ପଞ୍ଚାୟତର କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଥିଲେ। ଏହି ଅବସରରେ ମୃତକଙ୍କ ପରିବାରକୁ ଜଣପିଛା ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଘୋଷଣା କରିଥିଲେ। ଜିଲ୍ଲାରେ ଭୂସ୍ଖଳନ ଓ ବର୍ଷାଜନିତ କ୍ଷୟକ୍ଷତିର ଆକଳନ କରି ଆବଶ୍ୟକ ସହାୟତା ଯୋଗାଇଦେବାକୁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି।

Spread the love

Leave a Reply

Your email address will not be published. Required fields are marked *