ଲଗାତାର ତୃତୀୟ ଥର ପୁରସ୍କୃତ; ଶାରୀରିକ ଶିକ୍ଷା ସହ କ୍ରୀଡ଼ା ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ରହିଛି ଅବଦାନ
ଚଣ୍ଡିଖୋଲ, (ଓଡ଼ିଶ୍ରୀ ସମ୍ବାଦ): ଶିକ୍ଷାଦାନ ସହ କ୍ରୀଡ଼ା ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଅବଦାନ ପାଇଁ ଗୌରବ ଅର୍ଜନ କରିଛନ୍ତି ଯାଜପୁର ଜିଲ୍ଲା ବରଚଣା ବ୍ଲକ୍ ଖଇରାସ୍ଥିତ ପିଏମ୍ ଶ୍ରୀ ବଡ଼ଚଣା ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶୈଳେଶ କୁମାର ମିଶ୍ର। ଜିଲ୍ଲାସ୍ତରୀୟ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୫-୨୬’ରେ ଶାରୀରିକ ଶିକ୍ଷା ବିଭାଗରେ ସେ ପୁରସ୍କୃତ ହୋଇଛନ୍ତି। ଏହା ସହ କ୍ରମାଗତ ତୃତୀୟ ଥର ପାଇଁ ଏହି ସମ୍ମାନ ହାସଲ କରି ସେ ହ୍ୟାଟ୍ରିକ୍ ଅର୍ଜନ କରିଛନ୍ତି।
ଶ୍ରୀ ମିଶ୍ର ୨୦୨୩-୨୪, ୨୦୨୪-୨୫ ଓ ୨୦୨୫-୨୬ ଶିକ୍ଷାବର୍ଷରେ ଲଗାତାର ଏହି ପୁରସ୍କାର ପାଇଛନ୍ତି। ଶିକ୍ଷାଦାନ ପ୍ରତି ନିଷ୍ଠା ଓ କ୍ରୀଡ଼ା କ୍ଷେତ୍ରରେ ତାଙ୍କର ସକ୍ରିୟ ଭୂମିକା ଏହି ସଫଳତାର ପରିଚୟ ଦେଇଛି।
ସେ ଜିଲ୍ଲା, ରାଜ୍ୟ ଓ ଜାତୀୟସ୍ତରର ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ସହ ଜଡ଼ିତ ରହିଛନ୍ତି। ବିଶେଷକରି କବାଡ଼ି ଖେଳରେ ଜାତୀୟସ୍ତରୀୟ ରେଫରି ଭାବେ ତାଙ୍କର ଅଭିଜ୍ଞତା ରହିଛି। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ, ଶୃଙ୍ଖଳା, ଶାରୀରିକ ସୁସ୍ଥତା ଓ ଦଳଗତ ମନୋଭାବ ବିକାଶ କରିବାରେ ମଧ୍ୟ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଆସିଛନ୍ତି।
କ୍ରୀଡ଼ା ସହ ପରିବେଶ ସୁରକ୍ଷା କ୍ଷେତ୍ରରେ ମଧ୍ୟ ଶ୍ରୀ ମିଶ୍ରଙ୍କ ଅବଦାନ ରହିଛି। ଯାଜପୁର ଜିଲ୍ଲାରେ ସେ ଦୁଇଥର ‘ପ୍ରକୃତି ବନ୍ଧୁ’ ପୁରସ୍କାର ପାଇ ସମ୍ମାନିତ ହୋଇଛନ୍ତି।
ତାଙ୍କର ଏହି ସଫଳତା ପାଇଁ ବିଦ୍ୟାଳୟର ପ୍ରଧାନଶିକ୍ଷକ, ସହକର୍ମୀ ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଅଭିଭାବକ ଓ ଅଞ୍ଚଳବାସୀଙ୍କ ପକ୍ଷରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଯାଇଛି। ତାଙ୍କର ଏହି ସଫଳତା ଅନ୍ୟ ଶିକ୍ଷକମାନଙ୍କ ପାଇଁ ପ୍ରେରଣାଦାୟୀ ହୋଇଛି।
