କଣ୍ଟାବାଞ୍ଜିରେ ଚାରି ମହଲା ଉପରୁ ଖସିଲା ଲୁହା ଛଡ଼; ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ
ବଲାଙ୍ଗୀର/କଣ୍ଟାବାଞ୍ଜି (ଓଡ଼ିଶ୍ରୀ ସମ୍ବାଦ): ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ଏକ ନିର୍ମାଣାଧୀନ ମ୍ୟାରେଜ୍ ପ୍ୟାଲେସ୍ରେ ଅଘଟଣ ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ନିର୍ମାଣାଧୀନ କୋଠାର ଚାରି ମହଲା ଉପରୁ ଏକ ଲୁହା ଛଡ଼ ଖସି ଶ୍ରମିକଙ୍କ ମୁଣ୍ଡରେ ପଡ଼ିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ମୃତ ଶ୍ରମିକ ଜଣକ ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ବୁରୋବହାଲ ଗ୍ରାମର ଭାବଗ୍ରାହୀ ପୁଟେଲ (୩୬) ବୋଲି ଜଣାପଡ଼ିଛି। ସେ କଣ୍ଟାବାଞ୍ଜି ଖାଟୁ ଶ୍ୟାମ ମନ୍ଦିର ନିକଟରେ ଥିବା ନିର୍ମାଣାଧୀନ ମ୍ୟାରେଜ୍ ପ୍ୟାଲେସ୍ରେ ଲିଫ୍ଟ ଅପରେଟର ଭାବେ କାମ କରୁଥିଲେ।
ଘଟଣାକୁ ନେଇ ନିର୍ମାଣସ୍ଥଳରେ ଶ୍ରମିକଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ସୁରକ୍ଷା ଅବହେଳା ଯୋଗୁଁ ଏହି ଜୀବନହାନି ଘଟିଥିବା ଅଭିଯୋଗ ହେଉଛି। ତେବେ ଘଟଣାର ପ୍ରକୃତ କାରଣ ଓ ସୁରକ୍ଷା ନିୟମ ପାଳନ ହୋଇଥିଲା କି ନାହିଁ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।
ଏହି ଘଟଣା ପରେ ଅଞ୍ଚଳର ବିଭିନ୍ନ ବଡ଼ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କ ସୁରକ୍ଷାକୁ ନେଇ ମଧ୍ୟ ଚିନ୍ତା ପ୍ରକାଶ ପାଇଛି। ନିର୍ମାଣସ୍ଥଳରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା, ଶ୍ରମିକଙ୍କ ପାଇଁ ସୁରକ୍ଷା ଉପକରଣ ଏବଂ ଉପର ମହଲାରୁ ସାମଗ୍ରୀ ଖସିବା ରୋକିବା ପାଇଁ ଉଚିତ ବ୍ୟବସ୍ଥା ରହିଛି କି ନାହିଁ, ସେନେଇ ଯାଞ୍ଚ ଦାବି ହେଉଛି।
