୭.୬୫ ଏମ୍ଏମ୍ ପିସ୍ତଲ, ଗୁଳି ଓ ଖାଲି କାର୍ଟ୍ରିଜ୍ ଜବତ; ଅପରାଧରେ ବ୍ୟବହୃତ ସ୍କୁଟର ମଧ୍ୟ ପୋଲିସ କବ୍ଜାରେ
ଭୁବନେଶ୍ୱର (ଓଡ଼ିଶ୍ରୀ ସମ୍ବାଦ): ରାଜଧାନୀ ଭୁବନେଶ୍ୱରର ଶିଶୁଭବନ-ମାଉସୀମା ଓଭରବ୍ରିଜ୍ରେ ଘଟିଥିବା ଗୁଳିକାଣ୍ଡ ଓ ହତ୍ୟା ମାମଲାରେ କମିଶନରେଟ୍ ପୋଲିସକୁ ସଫଳତା ମିଳିଛି। ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପୋଲିସ ୯ ଜଣଙ୍କୁ ଗିରଫ କରିଛି। ଏଥିସହ ହତ୍ୟାକାଣ୍ଡରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ପ୍ରମାଣ ସାମଗ୍ରୀ ଜବତ କରାଯାଇଛି।
ପୋଲିସ ସୂଚନା ଅନୁଯାୟୀ, ଘଟଣାର ତଦନ୍ତକୁ ଗୁରୁତ୍ୱ ଦେଇ ବିଭିନ୍ନ ଦିଗରୁ ଛାନ୍ଭିନ୍ କରାଯାଇଥିଲା। ତଦନ୍ତ ପରେ ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ୯ ଜଣଙ୍କୁ ଚିହ୍ନଟ କରି ଗିରଫ କରାଯାଇଛି।
ଗିରଫ ଅଭିଯୁକ୍ତଙ୍କଠାରୁ ଗୋଟିଏ ୭.୬୫ ଏମ୍ଏମ୍ ପିସ୍ତଲ, ଜୀବନ୍ତ ଗୁଳି, ଗୋଟିଏ ଖାଲି କାର୍ଟ୍ରିଜ୍ ଏବଂ ଅନ୍ୟାନ୍ୟ ପ୍ରମାଣ ସାମଗ୍ରୀ ଜବତ ହୋଇଛି। ଏହାସହ ଅପରାଧରେ ବ୍ୟବହୃତ ଗୋଟିଏ ସୁଜୁକି ଆକ୍ସେସ୍ ସ୍କୁଟରକୁ ମଧ୍ୟ ପୋଲିସ ଜବତ କରିଛି।
ରାଜଧାନୀର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଘଟିଥିବା ଏହି ଗୁଳିକାଣ୍ଡ ଓ ହତ୍ୟା ଘଟଣାକୁ ନେଇ ଚିନ୍ତା ପ୍ରକାଶ ପାଇଥିବାବେଳେ ୯ ଜଣଙ୍କ ଗିରଫଦାରୀ ତଦନ୍ତରେ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ବୋଲି କୁହାଯାଉଛି। ତେବେ ହତ୍ୟାର କାରଣ, ଅଭିଯୁକ୍ତମାନଙ୍କ ଭୂମିକା ଓ ଘଟଣାର ଅନ୍ୟାନ୍ୟ ଦିଗ ସମ୍ପର୍କରେ ପୋଲିସର ଅଧିକ ତଥ୍ୟ ଅପେକ୍ଷାରେ ରହିଛି।
