• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ରାସ୍ତା ନିର୍ମାଣ ନାଁରେ କଟିଲା ଶହ ଶହ ଗଛ! ବିକାଶ ନା ବିନାଶ?

Byodishri Live

Nov 6, 2026

ବନ ବିଭାଗର ଅନୁମତି ନଥିବା ଅଭିଯୋଗ; ନନ୍ଦାହାଣ୍ଡିରେ ତଦନ୍ତ ଓ ପୁନଃ ଚାରାରୋପଣ ଦାବି

ନବରଙ୍ଗପୁର (ଓଡ଼ିଶ୍ରୀ ସମ୍ବାଦ): ଗୋଟିଏ ପଟେ ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧି ପାଇଁ ସରକାରୀ ଅର୍ଥରେ ଚାରାରୋପଣ ଏବଂ ତାହାର ରକ୍ଷଣାବେକ୍ଷଣ କରାଯାଉଛି। ଅନ୍ୟପଟେ ରାସ୍ତା ନିର୍ମାଣ ନାଁରେ ପୂର୍ବରୁ ଲଗାଯାଇଥିବା ଗଛ କଟାଯାଉଥିବା ଅଭିଯୋଗ ଉଠିଛି। ଏହାକୁ ନେଇ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍‌ରେ ଅସନ୍ତୋଷ ପ୍ରକାଶ ପାଇଛି।

ଇନ୍ଦିରାବାସ ଛକଠାରୁ ନନ୍ଦାହାଣ୍ଡି ଗାଁକୁ ଯାଇଥିବା ଗ୍ରାମ୍ୟ ଉନ୍ନୟନ (R.D.) ବିଭାଗର ରାସ୍ତା ପାର୍ଶ୍ୱରେ ପ୍ରାୟ ଚାରି ବର୍ଷ ପୂର୍ବେ ବନ ବିଭାଗ ପକ୍ଷରୁ ଗଛ ଲଗାଯାଇଥିଲା। ଅଭିଯୋଗ ଅନୁଯାୟୀ, ରାସ୍ତା ନିର୍ମାଣ କାମ ପାଇଁ ସେହି ଗଛଗୁଡ଼ିକୁ କାଟି ଦିଆଯାଇଛି। ଫଳରେ ପୂର୍ବରୁ ସବୁଜିମାରେ ଭରି ରହିଥିବା ରାସ୍ତାପାର୍ଶ୍ୱ ଏବେ ଅନେକାଂଶରେ ଗଛଶୂନ୍ୟ ହୋଇପଡ଼ିଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଗଛଗୁଡ଼ିକର ଚାରାରୋପଣ, ଖତସାର ଓ ରକ୍ଷଣାବେକ୍ଷଣ ପାଇଁ ସରକାରୀ ଅର୍ଥ ଖର୍ଚ୍ଚ ହୋଇଥିଲା। ଏବେ ସେହି ଗଛ କଟାଯିବା ପରେ ସରକାରୀ ଅର୍ଥର ବିନିଯୋଗ ଓ ବିଭାଗୀୟ ଦାୟିତ୍ୱବୋଧକୁ ନେଇ ପ୍ରଶ୍ନ ଉଠିଛି।

ଏହାସହ ବନ ବିଭାଗର ଅନୁମତି ନନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ଗଛ କାଟିଥିବା ଅଭିଯୋଗ ହୋଇଛି। ତେବେ ଗଛ କାଟିବା ପାଇଁ କେଉଁ ବିଭାଗ ଅନୁମତି ଦେଇଥିଲା, କେତେ ସଂଖ୍ୟକ ଗଛ କଟାଯାଇଛି ଏବଂ ଏହା ପଛରେ କେଉଁ ଅଧିକାରୀଙ୍କ ନିର୍ଦ୍ଦେଶ ରହିଥିଲା, ତାହା ସ୍ପଷ୍ଟ ହୋଇନାହିଁ।

ଗୋଟିଏ ପଟେ ‘ମା’ କି ନାମ ପେ ଏକ ପେଡ଼’ ଭଳି ଅଭିଯାନ ମାଧ୍ୟମରେ ବୃକ୍ଷରୋପଣକୁ ପ୍ରୋତ୍ସାହନ ଦିଆଯାଉଥିବାବେଳେ ଅନ୍ୟପଟେ ରାସ୍ତା କାମ ପାଇଁ ଗଛ କଟାଯିବା ଘଟଣା ପରିବେଶ ସୁରକ୍ଷା ନେଇ ଚର୍ଚ୍ଚା ସୃଷ୍ଟି କରିଛି।

ଘଟଣାର ନିରପେକ୍ଷ ତଦନ୍ତ କରି ଗଛ କାଟିବା ପଛରେ ଥିବା ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ନେବା ସହ କ୍ଷତିପୂରଣ ସ୍ୱରୂପ ସେହି ଅଞ୍ଚଳରେ ପୁନଃ ଚାରାରୋପଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏନେଇ ବନ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ଏବେ ସମସ୍ତଙ୍କ ନଜର।

Spread the love

Leave a Reply

Your email address will not be published. Required fields are marked *