୧୩ଟି କ୍ଲଷ୍ଟରର ୪୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ଭାଗୀଦାରି; ୩୨ଟି ବିଭାଗରେ ପ୍ରତିଯୋଗିତା
ବାରିପଦା, (ଓଡ଼ିଶ୍ରୀ ସମ୍ବାଦ): ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାର ବିକାଶ ଓ ସୃଜନଶୀଳତାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ବାରିପଦା ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ସ୍ଥାନୀୟ ସହିଦ ସ୍ମୃତି ଭବନଠାରେ ଅନୁଷ୍ଠିତ ହୋଇଛି।
ଉଦ୍ଘାଟନୀ ଉତ୍ସବରେ ବାରିପଦା ବିଧାୟକ ପ୍ରକାଶ ସୋରେନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା ଏବଂ ୩୦ ନମ୍ବର ଜୋନ୍ର ଜିଲ୍ଲା ପରିଷଦ ସଭ୍ୟ ନରେନ୍ଦ୍ର ହାଁସଦା ଯୋଗଦେଇଥିଲେ। ‘ସୁରଭି’ ଭଳି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ପ୍ରତିଭାର ବିକାଶରେ ସହାୟକ ହେବା ସହ ସେମାନଙ୍କୁ ନିଜ ଦକ୍ଷତା ପ୍ରଦର୍ଶନ ପାଇଁ ମଞ୍ଚ ଯୋଗାଇଥାଏ ବୋଲି ଅତିଥିମାନେ ମତ ରଖିଥିଲେ।
ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଅନୁଜା ମାଧୁରୀ ଦାସଙ୍କ ଦିଗ୍ଦର୍ଶନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁକୁମାର ରାଉତଙ୍କ ନେତୃତ୍ୱରେ ପରିଚାଳିତ ହୋଇଥିଲା। ଶିକ୍ଷକ ଗୌତମ ପ୍ରସାଦ ଦାସ ମଞ୍ଚ ପରିଚାଳନା କରିଥିବାବେଳେ ପୂର୍ବତନ ପ୍ରଧାନଶିକ୍ଷକ ସୋମନାଥ ସିଂହ ସାଂସ୍କୃତିକ କାର୍ଯ୍ୟକ୍ରମର ଦାୟିତ୍ୱ ତୁଲାଇଥିଲେ।
ଏହି ମହୋତ୍ସବରେ ବ୍ଲକର ୧୩ଟି କ୍ଲଷ୍ଟରରୁ ୪୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ୩୨ଟି ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ। ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନେ ନଭେମ୍ବର ୭ ତାରିଖରେ ହେବାକୁ ଥିବା ଜିଲ୍ଲାସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।
ଏହି ଅବସରରେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ କ୍ରୀଡ଼ା ଓ ଅନ୍ୟାନ୍ୟ କ୍ଷେତ୍ରରେ ରାଜ୍ୟ ଓ ଜାତୀୟସ୍ତରକୁ ମନୋନୀତ ହୋଇ ବ୍ଲକର ଗୌରବ ବଢ଼ାଇଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଦଳଗତ ସାଂସ୍କୃତିକ ପ୍ରତିଯୋଗିତାରେ ପୂର୍ଣ୍ଣଚନ୍ଦ୍ରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଥମ ସ୍ଥାନ ହାସଲ କରି ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛି।
ଉଦ୍ଯାପନୀ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ବାରିପଦା ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶଶୀଧର ସିଂହ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।
ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଅନୁଜା ମାଧୁରୀ ଦାସ ଜିଲ୍ଲାସ୍ତରରେ କୃତୀ ପ୍ରତିଯୋଗୀଙ୍କ ସଫଳତା କାମନା କରିଥିବାବେଳେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁକୁମାର ରାଉତ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। କାର୍ଯ୍ୟାଳୟର ସେକ୍ସନ ଅଫିସର ସତ୍ୟନାରାୟଣ ଦାସଙ୍କ ସମେତ ସମସ୍ତ ସିଆରସିସି, ଶିକ୍ଷକ ନେତୃବୃନ୍ଦ ଓ ଶିକ୍ଷକ-ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
