ଆଳି ବିଧାୟକ ପ୍ରତାପ କେଶରୀ ଦେବଙ୍କ ନେତୃତ୍ୱରେ ବିଭିନ୍ନ ଅଞ୍ଚଳ ପରିକ୍ରମା; ଦଳୀୟ କର୍ମୀ ଓ ମହିଳା ସଂଗଠନର ସଦସ୍ୟ ସାମିଲ
ରାଜକନିକା, (ଓଡ଼ିଶ୍ରୀ ସମ୍ବାଦ): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ସାରା ରାଜ୍ୟରେ ଆରମ୍ଭ ହୋଇଥିବା ଜନସମ୍ପର୍କ ପଦଯାତ୍ରା ଆଜି କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ରାଜକନିକା ବ୍ଲକ୍ରେ ଅନୁଷ୍ଠିତ ହୋଇଛି।
ରାଜକନିକା ବ୍ଲକ୍ର ଅଶୋକ ବଜାରସ୍ଥିତ ମା’ କନକେଶ୍ୱରୀ ମନ୍ଦିର ପ୍ରାଙ୍ଗଣରୁ ଆଳି ବିଧାୟକ ତଥା ପୂର୍ବତନ ଶକ୍ତି ଓ ଲଘୁ ଉଦ୍ୟୋଗ ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ନେତୃତ୍ୱରେ ଏହି ପଦଯାତ୍ରା ଆରମ୍ଭ ହୋଇଥିଲା। ଦଳୀୟ ନେତା ଓ କର୍ମୀଙ୍କ ସହ ବିଧାୟକ ପଦଯାତ୍ରାରେ ସାମିଲ ହୋଇଥିଲେ।
ପଦଯାତ୍ରା ମା’ କନକେଶ୍ୱରୀ ମନ୍ଦିର ରାସ୍ତା ଦେଇ ଥାନା ଛକ, ବାଘବୁଦା, ସେବାସାହି ଓ କଣ୍ଟାପଡ଼ା ବଜାର ପରିକ୍ରମା କରିବା ପରେ ଚନ୍ଦନ ପୋଖରୀ ଛକ ଦେଇ ରାଜକନିକା ମେଲଣ ପଡ଼ିଆରେ ଶେଷ ହୋଇଥିଲା।
ଏହି ପଦଯାତ୍ରାରେ ରାଜକନିକା ବ୍ଲକ୍ର ୨୮ ନମ୍ବର ଜୋନ୍ର ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି, ମିନତୀ ରାଉତ, ଯୁବ ସଂଗଠକ ପବିତ୍ର ରାଉତ, ଜିଲ୍ଲା ଉପସଭାପତି ବିକାଶ ଦାଶ, ସରପଞ୍ଚ ଅରୁଣ ରାଉତଙ୍କ ସମେତ ଦଶଟି ପଞ୍ଚାୟତର ବିଜେଡି କର୍ମୀ, ସଂଗଠକ ଓ ବିଜୁ ମହିଳା ଜନତା ଦଳର ସଦସ୍ୟାମାନେ ଯୋଗଦେଇଥିଲେ।
ପଦଯାତ୍ରା ଅବସରରେ ଦଳୀୟ ନେତାମାନେ ସଂଗଠନକୁ ମଜବୁତ କରିବା ସହ ଆଳି ବିଧାୟକ ପ୍ରତାପ କେଶରୀ ଦେବଙ୍କ ନେତୃତ୍ୱକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଏଥିସହ କେନ୍ଦ୍ର ଓ ରାଜ୍ୟର ଡବଲ୍ ଇଞ୍ଜିନ୍ ସରକାରଙ୍କ ନୀତି ଏବଂ ରାଜ୍ୟ ସରକାରଙ୍କ କାର୍ଯ୍ୟକଳାପକୁ ନେଇ ବିଜେଡି ପକ୍ଷରୁ ସମାଲୋଚନା କରାଯାଇଥିଲା।
