ଦ୍ୱିତୀୟ ସେମିଫାଇନାଲରେ ଗଣ୍ଡରପୁରକୁ ୧-୦ ଗୋଲ୍ରେ ହରାଇଲା; ୭ ତାରିଖରେ ଓଡ଼ିଶା ଏଫ୍ସି ବାରିପଦା ସହ ହେବ ଫାଇନାଲ ମୁକାବିଲା
ରାଜକନିକା, (ଓଡ଼ିଶ୍ରୀ ସମ୍ବାଦ): ରାଜକନିକା ଆଥଲେଟିକ୍ ଆସୋସିଏସନ୍ ଆନୁକୂଲ୍ୟରେ ଆର୍.ଏନ୍. ହାଇସ୍କୁଲ ମିନି ଷ୍ଟାଡିୟମ୍ରେ ଚାଲିଥିବା ୪୫ତମ ରାଜ୍ୟସ୍ତରୀୟ ରାଜକନିକା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ରେ ଜଗା ୟୁନାଇଟେଡ୍ ଭୁବନେଶ୍ୱର ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଛି। ଦଳଟି ୟୁନାଇଟେଡ୍ ଏଫ୍ସି ଗଣ୍ଡରପୁରକୁ ୧-୦ ଗୋଲ୍ରେ ପରାସ୍ତ କରି ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି।
ଉପାସିକା ପ୍ରେମଲତା ସିଂ ଓ ଶିକ୍ଷାବିତ୍ ପୁରୁଷୋତ୍ତମ ରାଉତଙ୍କୁ ସମର୍ପିତ ଏହି ମ୍ୟାଚ୍ରେ ବିଶିଷ୍ଟ ଫୁଟବଲ୍ ଖେଳାଳି ତଥା ଶିଳ୍ପପତି ନବରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ମହାବୀର ଶିକ୍ଷାନୁଷ୍ଠାନ ସମୂହର ସମ୍ପାଦିକା ଡ. ବସନ୍ତ ମଞ୍ଜରୀ ନାୟକ ସ୍ୱତନ୍ତ୍ର ସମ୍ମାନିତ ଅତିଥି ଏବଂ ଇରିଗେସନ୍ ଏସ୍ଡିଓ ଦିଲ୍ଲୀପ କୁମାର ବେହେରା, ପ୍ରାକ୍ତନ ସନ୍ତୋଷ ଟ୍ରଫି ଖେଳାଳି ବିଳାସ ବେହେରା, ଅବସରପ୍ରାପ୍ତ ଯୁଗ୍ମ ମତ୍ସ୍ୟ ନିର୍ଦ୍ଦେଶକ ପ୍ରତାପ ରଞ୍ଜନ ରାଉତ ଓ ଯୁବ ଉଦ୍ୟୋଗପତି ବିଭୂତି ଭୂଷଣ ବିଶ୍ୱାଳ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।
ଏହି ଅବସରରେ ଆସୋସିଏସନ୍ର ସଭାପତି ତଥା ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ, ସାଧାରଣ ସମ୍ପାଦକ ଅଜୟ କୁମାର ନାୟକ, ଉପସଭାପତି ବିସିକେଶନ ଦାସ, କପିଳେନ୍ଦ୍ର ମଲ୍ଲିକ ଓ ଇଂ. ପ୍ରଶାନ୍ତ ବିଶ୍ୱାଳ, ଉପଦେଷ୍ଟା ଦଶରଥ ସେନାପତି, କୋଷାଧ୍ୟକ୍ଷ ଦେବେନ୍ଦ୍ର କୁମାର ନାୟକ ଏବଂ ମିଡିଆ ସେଲ୍ ସମ୍ପାଦକ ଅଜୟ କୁମାର ରାଉତଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।
ମାନସ ବିଶ୍ୱାଳ, ସୁକାନ୍ତ ସିଂହ, ରାମଚନ୍ଦ୍ର ବେସ୍ରା ଓ ଗଣେଶ୍ୱର ସିଂହ ମ୍ୟାଚ୍ ପରିଚାଳନା କରିଥିବା ବେଳେ ଗୋଲକ ବିହାରୀ ମଲ୍ଲିକ ଓ ଅରୁଣ ବାରିକ ମ୍ୟାଚ୍ କମିଶନର ଦାୟିତ୍ୱ ତୁଲାଇଥିଲେ। ସୌମ୍ୟକାନ୍ତ ନାୟକ ଓ ପ୍ରଶାନ୍ତ ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ।
ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଭାବେ ବିଜୟୀ ଦଳର ସୀତାରାମ ବାସ୍କେଙ୍କୁ ଯୁଧିଷ୍ଠିର ମଥାନ ସ୍ମାରକୀ ଅର୍ଥ ପୁରସ୍କାର ପ୍ରଦାନ କରାଯାଇଥିଲା। ଉପଦେଷ୍ଟା ଶ୍ରୀନିବାସ ପ୍ରଧାନ, ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ଅଶ୍ୱିନୀ ବେହୁରା, ଫୁଟବଲ୍ ସମ୍ପାଦକ ଶରତ ଜେନାଙ୍କ ସମେତ ଅନ୍ୟ ସଦସ୍ୟମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ଆସୋସିଏସନ୍ର ସାଧାରଣ ସମ୍ପାଦକ ଅଜୟ କୁମାର ନାୟକଙ୍କ ସୂଚନା ଅନୁଯାୟୀ, ନଭେମ୍ବର ୭ ତାରିଖରେ ଫାଇନାଲ୍ ମ୍ୟାଚ୍ରେ ଓଡ଼ିଶା ଏଫ୍ସି ବାରିପଦା ଓ ଜଗା ୟୁନାଇଟେଡ୍ ଭୁବନେଶ୍ୱର ମଧ୍ୟରେ ମୁକାବିଲା ହେବ।
