ଭିଡିଓ କନ୍ଫରେନ୍ସିଂରେ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ; ତୃତୀୟ ପର୍ଯ୍ୟାୟରେ ରାଜ୍ୟର ୬୩୦ଟି ବିଦ୍ୟାଳୟ ସାମିଲ
ଧର୍ମଶାଳା (ଓଡ଼ିଶ୍ରୀ ସମ୍ବାଦ): ଯାଜପୁର ଜିଲ୍ଲାର ଧର୍ମଶାଳା ନିର୍ବାଚନମଣ୍ଡଳୀର ୫ଟି ସ୍ଥାନରେ ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଏହି ବିଦ୍ୟାଳୟଗୁଡ଼ିକର ଶିଳାନ୍ୟାସ କରିଛନ୍ତି।
ଓଡ଼ିଶାର ପ୍ରତ୍ୟେକ ପଞ୍ଚାୟତରେ ଅତ୍ୟାଧୁନିକ ଓ ଗୁଣାତ୍ମକ ପ୍ରାଥମିକ ଶିକ୍ଷାର ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାର ତୃତୀୟ ପର୍ଯ୍ୟାୟରେ ରାଜ୍ୟର ୬୩୦ଟି ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।
ଏହି ଅବସରରେ ଧର୍ମଶାଳା ନିର୍ବାଚନମଣ୍ଡଳୀର ୧୨ ନମ୍ବର ଜୋନ୍ ଅନ୍ତର୍ଗତ ପୁରୁଣା ବଉଳମାଳ ପଞ୍ଚାୟତର ଇଚ୍ଛାପୁର ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଆଦର୍ଶ ବିଦ୍ୟାଳୟରେ ରୂପାନ୍ତରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଏହି କାର୍ଯ୍ୟକ୍ରମରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ଜିଲ୍ଲା ଶିକ୍ଷାଧିକାରୀ ମହେଶ୍ୱର ସାହୁ ଓ ବ୍ଲକ ଶିକ୍ଷାଧିକାରୀ ଅଭୟ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ସେହିପରି ୧୫ ନମ୍ବର ଜୋନ୍ର କୋତପୁର ଜାଗୁଳାଇ ହାଇସ୍କୁଲ ପରିସର, ୧୪ ନମ୍ବର ଜୋନ୍ର ସୁନ୍ଦୁରିଆ ହାଇସ୍କୁଲ, ୧୩ ନମ୍ବର ଜୋନ୍ର ତରଞ୍ଜିଆ ପଞ୍ଚାୟତସ୍ଥିତ ବିଳାସିନୀ ନୋଡାଲ ସ୍କୁଲ ଏବଂ ଏହି ଜୋନ୍ର କ୍ଷେତ୍ରପାଳ ପଞ୍ଚାୟତସ୍ଥିତ ସିଦ୍ଧନାରାୟଣ ସ୍କୁଲ ପରିସରରେ ମଧ୍ୟ ଶିଳାନ୍ୟାସ କରାଯାଇଛି।
ଏହି ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ସ୍ମାର୍ଟ କ୍ଲାସ୍ରୁମ୍, ଆଧୁନିକ ଶିକ୍ଷଣ ପଦ୍ଧତି, ଉନ୍ନତ ପାଠାଗାର, କ୍ରୀଡ଼ା ଭିତ୍ତିଭୂମି ଏବଂ ଶିଶୁକୈନ୍ଦ୍ରିକ ଶିକ୍ଷାଦାନ ବ୍ୟବସ୍ଥା ରହିବାର ଲକ୍ଷ୍ୟ ରହିଛି। ଏହାଦ୍ୱାରା ଗ୍ରାମାଞ୍ଚଳର ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ସହ ଉନ୍ନତ ଶିକ୍ଷା ପରିବେଶ ଯୋଗାଇଦେବାକୁ ସରକାର ଉଦ୍ୟମ କରୁଛନ୍ତି।
ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ବିକାଶ ସହ ପ୍ରତ୍ୟେକ ଶିଶୁର ସ୍ୱପ୍ନକୁ ନୂଆ ଦିଗ ଦେବା ଏବଂ ଏକ ଶିକ୍ଷିତ, ସମୃଦ୍ଧ ଓ ସଶକ୍ତ ଓଡ଼ିଶା ଗଠନ ଏହି ଯୋଜନାର ଉଦ୍ଦେଶ୍ୟ ବୋଲି ବିଧାୟକ ହିମାଂଶୁ ଶେଖର ସାହୁ ଆଶାବ୍ୟକ୍ତ କରିଛନ୍ତି।
କାର୍ଯ୍ୟକ୍ରମରେ ବିଜେପିର ବିଭିନ୍ନ ଜୋନ୍ର ପ୍ରଭାରୀ, ସଭାପତି ଓ ବହୁ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।
