କେନ୍ଦୁଝର (ଓଡ଼ିଶ୍ରୀ ସମ୍ବାଦ): କେନ୍ଦୁଝରର ଐତିହ୍ୟ, କଳା, ସଂସ୍କୃତି ଓ ସ୍ଥାନୀୟ ପ୍ରତିଭାକୁ ଜାତୀୟସ୍ତରରେ ପହଞ୍ଚାଇବା ଲକ୍ଷ୍ୟରେ ଆସନ୍ତା ଅକ୍ଟୋବର ୯ ଓ ୧୦ ତାରିଖରେ ଦୁଇଦିନିଆ ଜାତୀୟସ୍ତରୀୟ କ୍ଷୁଦ୍ରଦୈର୍ଘ୍ୟ ଚଳଚ୍ଚିତ୍ର ମହୋତ୍ସବ ଆୟୋଜିତ ହେବ। କେନ୍ଦୁଝର ଅଡିଟୋରିୟମରେ ଏହି ମହୋତ୍ସବ ଅନୁଷ୍ଠିତ ହେବ ବୋଲି ଏକ ପ୍ରେସ୍ମିଟ୍ରେ ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ଆୟୋଜକଙ୍କ ସୂଚନା ଅନୁଯାୟୀ, ମହୋତ୍ସବର ଉଦ୍ଘାଟନୀ ସମାରୋହରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଅକ୍ଟୋବର ୧୦ ତାରିଖରେ ଉଦ୍ଯାପନୀ ସମାରୋହରେ ନିରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେବେ ବୋଲି ଆୟୋଜକମାନେ କହିଛନ୍ତି।
ଏହି ସିନେ ମହୋତ୍ସବରେ ଓଡ଼ିଆ ଓ ହିନ୍ଦୀ ଚଳଚ୍ଚିତ୍ର ଜଗତର କଳାକାର ଓ ସିନେ ବ୍ୟକ୍ତିବିଶେଷଙ୍କ ଯୋଗଦାନ ରହିବ। ଏଥିସହ ଓଡ଼ିଆ ସମେତ ତେଲୁଗୁ, ତାମିଲ, ମାଲାୟାଲମ୍ ଓ କନ୍ନଡ଼ ଭାଷାର କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହେବ। ଏହା ମାଧ୍ୟମରେ ବିଭିନ୍ନ ଭାଷା ଓ ଅଞ୍ଚଳର ଚଳଚ୍ଚିତ୍ର ପ୍ରତିଭାଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିବାକୁ ପ୍ରୟାସ କରାଯାଉଛି।
ନିର୍ଦ୍ଦେଶକ ଅବିନାଶ ରାଉତଙ୍କ ନେତୃତ୍ୱରେ କୁମାକ୍ସ ଷ୍ଟୁଡିଓ, ବ୍ରୋଭାଣ୍ଡା ଇଣ୍ଡଷ୍ଟ୍ରି ପ୍ରାଇଭେଟ୍ ଲିମିଟେଡ୍ ଓ ଇନ୍ଦ୍ରଧନୁର ମିଳିତ ସହଯୋଗରେ ଏହି ମହୋତ୍ସବ ଆୟୋଜନ କରାଯାଉଛି।
ନିର୍ଦ୍ଦେଶକ ଅବିନାଶ ରାଉତଙ୍କ କହିବା ଅନୁଯାୟୀ, ଏହି ମହୋତ୍ସବ ମାଧ୍ୟମରେ କେନ୍ଦୁଝରର ପ୍ରାକୃତିକ ସୌନ୍ଦର୍ଯ୍ୟ, ଐତିହ୍ୟ ଓ ସ୍ଥାନୀୟ ଯୁବ ପ୍ରତିଭାଙ୍କୁ ବ୍ୟାପକ ମଞ୍ଚ ମିଳିବା ସହ ଚଳଚ୍ଚିତ୍ର କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି ହେବ।
