ଭୁବନେଶ୍ୱର: ସୋସିଆଲ ମିଡିଆରେ ଲାଇଭ୍କୁ ନେଇ ବିବାଦ ପରେ ଭୁବନେଶ୍ୱର ଭରତପୁର ଥାନା ଅଞ୍ଚଳର ଘାଟିକିଆରେ ଗୁଳିକାଣ୍ଡ ଓ ଗଣ୍ଡଗୋଳ ଘଟିଥିବା ଜଣାପଡ଼ିଛି। ଘଟଣାରେ ୨ ରାଉଣ୍ଡ ବ୍ଲାଙ୍କ ଫାୟାରିଂ ହୋଇଥିବା ସୂଚନା ମିଳିଛି। ଗଣ୍ଡଗୋଳ ଓ ମାରପିଟରେ ୫ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଗତକାଲି ଜଣେ ଯୁବକ ସୋସିଆଲ ମିଡିଆରେ ଲାଇଭ୍ କରି ଏକ ମାମଲା ସମ୍ପର୍କରେ କିଛି ମନ୍ତବ୍ୟ ଦେଇଥିଲେ। ପରେ ଉକ୍ତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।
ଭିଡିଓକୁ ନେଇ ଅପରପକ୍ଷ ଉତ୍ତ୍ୟକ୍ତ ହୋଇ ବିଳମ୍ବିତ ରାତିରେ ଘାଟିକିଆରେ ଚାଲିଥିବା ଏକ ଗଣେଶ ପୂଜା ପେଣ୍ଡାଲ ନିକଟରେ ପହଞ୍ଚିଥିଲେ। ସେଠାରେ ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ଓ ମାରପିଟ ହୋଇଥିବା ଅଭିଯୋଗ ରହିଛି।
ଏହି ସମୟରେ ୨ ରାଉଣ୍ଡ ବ୍ଲାଙ୍କ ଫାୟାରିଂ ହୋଇଥିବା ସୂଚନା ମିଳିଛି। ଘଟଣାରେ ୫ ଜଣ ଗୁରୁତର ଆହତ ହୋଇଥିବା ବେଳେ ଘଟଣାକୁ ନେଇ ଭରତପୁର ଥାନା ପୁଲିସ ତଦନ୍ତ ଜାରି ରଖିଛି।
ସୋସିଆଲ ମିଡିଆରେ ଦିଆଯାଇଥିବା ମନ୍ତବ୍ୟକୁ କେନ୍ଦ୍ର କରି ଏଭଳି ହିଂସାତ୍ମକ ଘଟଣା ଘଟିବା ପରେ ଘଟଣାସ୍ଥଳରେ ପୁଲିସର ତଦନ୍ତ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଉପରେ ନଜର ରହିଛି।
