ବୌଦ୍ଧ: ବୌଦ୍ଧ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ହରଭଙ୍ଗା ବ୍ଲକର ସଙ୍କୁଲେଇ ହାଟପଡ଼ାଠାରେ ବିଜେପିର ସାଂଗଠନିକ ବୈଠକ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଜିଲ୍ଲା ସଭାପତି ପ୍ରେମାନନ୍ଦ ମିଶ୍ର ଓ ବୌଦ୍ଧ ବିଧାୟକଙ୍କ ବ୍ଲକ ପ୍ରତିନିଧି ସୁଶାନ୍ତ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ହୋଇଥିଲା।
କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି କାହ୍ନୁଚରଣ ନାଥ, ସଙ୍କୁଲେଇ ସରପଞ୍ଚ ସୁଶ୍ରୀତା ଛନ୍ଦ ଏବଂ ଜିଲ୍ଲା ସାଧାରଣ ସମ୍ପାଦକ ତପନ କୁମାର ଡାଙ୍ଗ ଯୋଗଦେଇ ସାଂଗଠନିକ ବିଷୟରେ ନିଜ ମତ ରଖିଥିଲେ। ଶକ୍ତିକେନ୍ଦ୍ର ପ୍ରଭାରୀ ସତ୍ୟବାଦୀ ଚୌଲିଆ ମଞ୍ଚ ପରିଚାଳନା କରିଥିଲେ।
ମିଶ୍ରଣ ପର୍ବରେ ସଙ୍କୁଲେଇ ଗ୍ରାମର ପୂର୍ବତନ ସରପଞ୍ଚ ସ୍ୱର୍ଗତ ଦୋଳଗୋବିନ୍ଦ ଗାଈଗୌରୀଆଙ୍କ ପୁତ୍ର ସଞ୍ଜୀବ ଗାଈଗୌରୀଆଙ୍କ ନେତୃତ୍ୱରେ ଶତାଧିକ ବିଜେଡି କର୍ମୀ ବିଜେପିରେ ସାମିଲ ହୋଇଥିବା ଦଳ ପକ୍ଷରୁ କୁହାଯାଇଛି।
ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ଦଳୀୟ ସଂଗଠନକୁ ଆହୁରି ସୁଦୃଢ଼ କରିବା ଉପରେ ବୈଠକରେ ଆଲୋଚନା ହୋଇଥିଲା। ବିଜେପିରେ ନୂଆ କର୍ମୀଙ୍କ ଯୋଗଦାନ ଆଗାମୀ ଦିନରେ ସଂଗଠନକୁ ସୁଦୃଢ଼ କରିବ ବୋଲି ବିଧାୟକଙ୍କ ପ୍ରତିନିଧି ମତ ପ୍ରକାଶ କରିଥିଲେ।
