ଜୟପାଟଣା (ଓଡ଼ିଶ୍ରୀ ସମ୍ବାଦ): କଳାହାଣ୍ଡି ଜିଲ୍ଲା ଜୟପାଟଣା ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି। ବର୍ଷାଜଳ ନିଷ୍କାସନ ହୋଇନପାରିବାରୁ ବିଭିନ୍ନ ତଳିଆ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି।
ଜୟପାଟଣାର ପରଦେଶୀପଡ଼ା ଅଞ୍ଚଳରେ ଆଶିଷ ପଟ୍ଟନାୟକଙ୍କ ଘର ଭିତରେ ଆଣ୍ଠୁଏ ପାଣି ପଶିଯାଇଛି। ଫଳରେ ପରିବାର ଲୋକେ ଦୁର୍ଦ୍ଦଶାରେ ରହିଛନ୍ତି। ଘର ଭିତରେ ପାଣି ଜମି ରହିଥିବାରୁ ଦୈନନ୍ଦିନ ଜୀବନଯାପନ ମଧ୍ୟ ପ୍ରଭାବିତ ହୋଇଛି।
ଖବର ପାଇ ଜୟପାଟଣା ଦମକଳ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଓ ଜଳ ନିଷ୍କାସନ କାର୍ଯ୍ୟ ଆରମ୍ଭ କରିଛି। ଲଗାଣ ବର୍ଷା ଜାରି ରହିଥିବାରୁ ତଳିଆ ଅଞ୍ଚଳର ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।
ପ୍ରଭାବିତ ଅଞ୍ଚଳରୁ ଶୀଘ୍ର ଜଳ ନିଷ୍କାସନ ସହ ଆବଶ୍ୟକ ସହାୟତା ଯୋଗାଇଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
