• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

୧୫୭ ନମ୍ବର ଜାତୀୟ ରାଜପଥ କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ, ଯାତାୟାତ ବନ୍ଦ

Byodishri Live

Sep 24, 2026

ଜି.ଉଦୟଗିରି (ଓଡ଼ିଶ୍ରୀ ସମ୍ବାଦ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ନିକଟ ୧୫୭ ନମ୍ବର ଜାତୀୟ ରାଜପଥର କଳିଙ୍ଗା ଘାଟିରେ ପୁଣି ମାଟି ଅତଡ଼ା ଖସିଛି। ଲଗାଣ ବର୍ଷା ଯୋଗୁଁ ଘାଟି ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା ବଢ଼ିଥିବାରୁ ପ୍ରଶାସନ ପକ୍ଷରୁ ପୂର୍ବରୁ ଯାତାୟାତ ନେଇ ସତର୍କତା ଜାରି କରାଯାଇଥିଲା।

ଅନ୍ଧାରୀକୋଟି ନିକଟରେ ରାସ୍ତା ସୁରକ୍ଷା ପାଇଁ ଲୁହା ତାରଜାଲି ମାଧ୍ୟମରେ ପଥର ପିଚିଂ କାମ ଚାଲିଥିବା ବେଳେ ବର୍ଷା ଯୋଗୁଁ ଏହାର କିଛି ଅଂଶ ଭୁଶୁଡ଼ି ପଡ଼ିଛି। ମାଟି ଅତଡ଼ା ଖସିବା ପରେ ରାସ୍ତାରେ ମଧ୍ୟ କିଛି ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ଦେଖାଯାଇଛି।

କଳିଙ୍ଗା ଘାଟିରେ ବିପଦପୂର୍ଣ୍ଣ ସ୍ଥିତି ଥିବାରୁ ପ୍ରଶାସନ ପକ୍ଷରୁ ଦୁଇ ଦିନ ପାଇଁ ଯାତାୟାତ ଉପରେ କଟକଣା ଲଗାଯାଇଛି। ଏହାସହ ଗଣମାଧ୍ୟମର ଯାତାୟାତକୁ ମଧ୍ୟ ବାରଣ କରାଯାଇଥିବା ସୂଚନା ମିଳିଛି।

ଘଟଣାସ୍ଥଳରେ ସ୍ଥାନୀୟ ତହସିଲଦାର ସମୁଦ୍ର ମିଶ୍ର, ଅତିରିକ୍ତ ତହସିଲଦାର ଦେବାଶିଷ ଜେନା ଓ ଆଇଆଇସି ବିଜୟ କୁମାର ସ୍ୱାଇଁ ଉପସ୍ଥିତ ରହି ସ୍ଥିତି ତଦାରଖ କରୁଛନ୍ତି।

ରାଇକିଆ ଓ ସାରଙ୍ଗଡ଼ ପଟୁ ଆସୁଥିବା ଯାନବାହନଗୁଡ଼ିକୁ ଟିକାବାଲି, ତେଙ୍ଗଡ଼ାପଥର ଦେଇ ଚକାପାଦ ରାସ୍ତାରେ ଯିବାକୁ ପ୍ରଶାସନ ପରାମର୍ଶ ଦେଇଛି। ସେପଟେ ପ୍ରବଳ ବର୍ଷା ଜାରି ରହିଥିବାରୁ କଳିଙ୍ଗା ଘାଟିର ପ୍ରାରମ୍ଭରେ ପଥପ୍ରାନ୍ତି ନିକଟରେ ପୋଲିସ ପକ୍ଷରୁ ନାକାବନ୍ଦୀ କରାଯାଇଛି।

ପୂର୍ବରୁ ମଧ୍ୟ ଭୂସ୍ଖଳନ ଯୋଗୁଁ ଏହି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବାରୁ ବର୍ତ୍ତମାନର ବର୍ଷାକୁ ନେଇ ଯାତ୍ରୀ ଓ ଯାନବାହନ ଚାଳକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।

Spread the love

Leave a Reply

Your email address will not be published. Required fields are marked *