ଠାକୁରମୁଣ୍ଡା, (ଓଡ଼ିଶ୍ରୀ ସମ୍ବାଦ): କରଞ୍ଜିଆ ବନଖଣ୍ଡ ଅଧୀନ ଠାକୁରମୁଣ୍ଡା ବନାଞ୍ଚଳର ଖପରଖାଇ ଗାଁରେ ମହାବଳ ବାଘକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି। ଗାଁର ଟୁକେ ହୋଙ୍କ ଘର ନିକଟରେ ଏକ ବାଘ ଲୁଚି ରହିଥିବା କେତେକ ଗ୍ରାମବାସୀ ଦେଖିଥିବା ଜଣାପଡ଼ିଛି।
ରାତି ସମୟରେ ବାଘର ଉପସ୍ଥିତି ଜଣାପଡ଼ିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। କିଛି ଲୋକ ଟର୍ଚ୍ଚ ଲାଇଟ୍ରେ ବାଘ ଉପରେ ନଜର ରଖିବା ସହ ବନ ବିଭାଗକୁ ସୂଚନା ଦେଇଥିଲେ।
ଖବର ପାଇ ବନ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବାଘକୁ ଘଉଡ଼ାଇଥିଲେ। ତେବେ ବାଘଟି ପୁଣି ଗାଁ ମୁହାଁ ହେବାର ଆଶଙ୍କା ଥିବାରୁ ଗ୍ରାମବାସୀଙ୍କ ଭୟ ଦୂର ହୋଇନାହିଁ।
ରାତି ସମୟରେ ଏକୁଟିଆ ଘରୁ ବାହାରକୁ ନ ଯିବା ଏବଂ ଗାଈଗୋରୁଙ୍କୁ ସୁରକ୍ଷିତ ସ୍ଥାନରେ ରଖିବାକୁ ବନ ବିଭାଗ ପକ୍ଷରୁ ଗ୍ରାମବାସୀଙ୍କୁ ସଚେତନ କରାଯାଇଛି। ଏଥିସହ ବାଘର ଗତିବିଧି ଉପରେ ବନ ବିଭାଗ ନଜର ରଖିଥିବା ଜଣାପଡ଼ିଛି।
