• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ମା’ ବରାଳ ଦେବୀ ମନ୍ଦିରର ନୂତନ ପରିଚାଳନା କମିଟି ଗଠନ

Byodishri Live

Sep 25, 2026

ବଲସକୁମ୍ପା (ଓଡ଼ିଶ୍ରୀ ସମ୍ବାଦ): କନ୍ଧମାଳ ଜିଲ୍ଲା ବଲସକୁମ୍ପାସ୍ଥିତ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ବରାଳ ଦେବୀଙ୍କ ମନ୍ଦିର ପରିଚାଳନା ପାଇଁ ନୂତନ କମିଟି ଗଠନ ହୋଇଛି। ଜିଲ୍ଲା ପ୍ରଶାସନ ଓ ୧୩ ମୁଠାର ଜନଜାତି ସମୁଦାୟର ମିଳିତ ସହଯୋଗରେ ମନ୍ଦିରର ପୂଜାପଦ୍ଧତି ଓ ବାର୍ଷିକ ପୂଜା ପରିଚାଳନା କରାଯାଇଥାଏ।

ସାଧାରଣତଃ ପ୍ରତି ତିନି ବର୍ଷରେ ଥରେ ନୂତନ କମିଟି ଗଠନ ହେବାର ବ୍ୟବସ୍ଥା ଥିବାବେଳେ ବିଭିନ୍ନ କାରଣରୁ ପ୍ରାୟ ୯ ବର୍ଷ ଧରି କମିଟି ପରିବର୍ତ୍ତନ ହୋଇପାରିନଥିଲା। ତେବେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ୨୪ ତାରିଖରେ କନ୍ଧମାଳ ଜିଲ୍ଲାପାଳଙ୍କ ସଦ୍‌ଭାବନା ଗୃହରେ ୧୩ ମୁଠାର କର୍ମକର୍ତ୍ତା ଓ ଜିଲ୍ଲା ପ୍ରଶାସନର ମିଳିତ ବୈଠକ ଅନୁଷ୍ଠିତ ହୋଇ ନୂତନ କମିଟି ଗଠନ କରାଯାଇଛି।

ନୂତନ ପରିଚାଳନା କମିଟିର ସଭାପତି ଭାବେ ବୀରେନ୍ଦ୍ର କୁମାର କଂହର, ଉପସଭାପତି ଭାବେ ଚକ୍ରଧର କଂହର, ସମ୍ପାଦକ ଭାବେ ବନମାଳୀ ପ୍ରଧାନ, ସହସମ୍ପାଦକ ଭାବେ ରମାକାନ୍ତ ମଲ୍ଲିକ ଏବଂ କୋଷାଧ୍ୟକ୍ଷ ଭାବେ ଅନ୍ତର୍ଯ୍ୟାମୀ କଂହର ମନୋନୀତ ହୋଇଛନ୍ତି।

ଏଥିସହ ୧୩ ମୁଠାରୁ ୭ ଜଣଙ୍କୁ ବରିଷ୍ଠ ଉପଦେଷ୍ଟା ଭାବେ ମନୋନୀତ କରାଯାଇଛି। ଉପଦେଷ୍ଟା କମିଟିର ଅଧ୍ୟକ୍ଷ ତଥା ବରିଷ୍ଠ ଉପଦେଷ୍ଟା ଭାବେ ନିଗମାନନ୍ଦ କଂହରଙ୍କ ସହ ଗୌତମ ପ୍ରଧାନ, ଜଳନ୍ଧର କଂହର, ଶରତ କୁମାର ଯାନୀ, ଅନ୍ତର୍ଯ୍ୟାମୀ ଦଳବେହେରା ଓ ଶରତ କୁମାର କଂହର ପ୍ରମୁଖଙ୍କୁ ଉପଦେଷ୍ଟା ଭାବେ ମନୋନୀତ କରାଯାଇଛି।

କମିଟି ଗଠନ ପ୍ରକ୍ରିୟାରେ ନିର୍ବାଚନ ଅଧିକାରୀ ଭାବେ ଖଜୁରୀପଡ଼ା ବିଡିଓ ଶୁଭଦତ୍ତ ତ୍ରୟ ବାହିନୀପତି, ଅତିରିକ୍ତ ତହସିଲଦାର ବ୍ରହ୍ମାନନ୍ଦ ଥାଟି, ଖଜୁରୀପଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ଚାପଧାରୀ ପ୍ରଧାନ ଓ ବଲସକୁମ୍ପା ରାଜସ୍ୱ ନିରୀକ୍ଷକ ମାନସ ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଶାନ୍ତିଶୃଙ୍ଖଳାର ସହ ନୂତନ ପରିଚାଳନା କମିଟି ଗଠନ ହୋଇଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭିନନ୍ଦନ ଜଣାଯାଇଥିବା ବେଳେ ଅଞ୍ଚଳବାସୀ ମଧ୍ୟ ଏଥିପାଇଁ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *