କେନ୍ଦୁଝର (ଓଡ଼ିଶ୍ରୀ ସମ୍ବାଦ): କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭଲ ଅବସ୍ଥାରେ ଥିବା ଲୁହା ଗ୍ରିଲ୍ ହଟାଇ ନୂଆ ଗ୍ରିଲ୍ ଲଗାଇବାକୁ ନେଇ ପ୍ରଶ୍ନ ଉଠିଛି। ଗ୍ରିଲ୍ଗୁଡ଼ିକ ଭଲ ଥିବା ସତ୍ତ୍ୱେ ସେଗୁଡ଼ିକୁ ହଟାଇ ନୂଆ ଗ୍ରିଲ୍ ଲଗାଇବାର ଆବଶ୍ୟକତା କ’ଣ ରହିଛି ବୋଲି ସ୍ଥାନୀୟ ମହଲରେ ଆଲୋଚନା ହେଉଛି।
ସୁନ୍ଦରୀକରଣ ନାମରେ ଏଭଳି କାର୍ଯ୍ୟ ପାଇଁ ସରକାରୀ ପାଣ୍ଠି ଖର୍ଚ୍ଚ କରାଯାଉଥିଲେ, ଏହାର ଆବଶ୍ୟକତା ଓ ଖର୍ଚ୍ଚର ସ୍ୱଚ୍ଛତା ସମ୍ପର୍କରେ ସୂଚନା ସାର୍ବଜନୀନ କରାଯିବା ଆବଶ୍ୟକ ବୋଲି ଦାବି ହେଉଛି।
ଅନ୍ୟପଟେ, ସରକାରୀ ତଥ୍ୟ ଅନୁଯାୟୀ ଜିଲ୍ଲାରେ ୮୦ ବର୍ଷରୁ ଊର୍ଦ୍ଧ୍ୱ ୫୧ ଜଣ, ୬୦ରୁ ୮୦ ବର୍ଷ ବୟସର ୧୬,୦୮୫ ଜଣ ଏବଂ ୨,୦୧୦ ଜଣ ଦିବ୍ୟାଙ୍ଗଙ୍କ ଭତ୍ତା ସମ୍ପର୍କିତ ଦାବି ବିଚାରାଧୀନ ଥିବା ଦାବି କରାଯାଇଛି। ଏଭଳି ସ୍ଥିତିରେ ସରକାରୀ ଅର୍ଥର ପ୍ରାଥମିକତାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଅଭିଯୋଗକାରୀ।
ଭଲ ଅବସ୍ଥାରେ ଥିବା ସରକାରୀ ସମ୍ପତ୍ତିକୁ ହଟାଇବା ଏବଂ ଏଥିପାଇଁ ହେଉଥିବା ଖର୍ଚ୍ଚର ଆବଶ୍ୟକତା କ’ଣ, ଏହାର ସମ୍ପୂର୍ଣ୍ଣ ହିସାବ ସରକାରୀ କର୍ତ୍ତୃପକ୍ଷ ଦେବା ଉଚିତ ବୋଲି ଦାବି ହୋଇଛି।
ଜନତାଙ୍କ ଅର୍ଥ ଅନାବଶ୍ୟକ ଖର୍ଚ୍ଚ ନକରି ଲୋକଙ୍କ ସମସ୍ୟା ସମାଧାନରେ ବ୍ୟବହାର କରାଯିବା ଉଚିତ ବୋଲି ଆପ୍ ନେତା ଜୟକୃଷ୍ଣ ନାୟକ କହିଛନ୍ତି। ଗ୍ରିଲ୍ ପରିବର୍ତ୍ତନ କାର୍ଯ୍ୟର ଖର୍ଚ୍ଚ ଓ ଦାୟିତ୍ୱ କାହାର ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।
ତେବେ ଗ୍ରିଲ୍ ପରିବର୍ତ୍ତନର ପ୍ରକୃତ କାରଣ, ଏଥିପାଇଁ ମଞ୍ଜୁର ହୋଇଥିବା ଅର୍ଥ ଏବଂ କାର୍ଯ୍ୟର ଦାୟିତ୍ୱ ସମ୍ପର୍କରେ ଜିଲ୍ଲା ପ୍ରଶାସନର ପକ୍ଷ ଜଣାପଡ଼ିନାହିଁ।
