• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ପେଣ୍ଠବାହାଳ ନୂଆଁସାହି ରାସ୍ତା କାଦୁଅରେ ଭର୍ତ୍ତି

Byodishri Live

Sep 26, 2026

ରେଢ଼ାଖୋଲ (ଓଡ଼ିଶ୍ରୀ ସମ୍ବାଦ): ନାକଟିଦେଉଳ ବ୍ଲକ ଅନ୍ତର୍ଗତ ପେଣ୍ଠବାହାଳ ନୂଆଁସାହି ରାସ୍ତା ଲଗାଣ ବର୍ଷା ଯୋଗୁଁ ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ରାସ୍ତା ସାରା କାଦୁଅରେ ଭର୍ତ୍ତି ହୋଇଥିବାରୁ ଲୋକଙ୍କ ଯାତାୟାତ ବାଧାପ୍ରାପ୍ତ ହେଉଛି। ଫଳରେ ସ୍ଥାନୀୟ ଲୋକେ ଜମି ହୁଡ଼ା ଦେଇ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି।

ସାହିବାସୀଙ୍କ ଅଭିଯୋଗ ଅନୁଯାୟୀ, ପ୍ରତିବର୍ଷ ପ୍ରଶାସନ ପକ୍ଷରୁ ଏହି ରାସ୍ତାରେ ମାଟି ଓ ମୋରମ୍‌ ପକାଇବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ତେବେ ବର୍ଷା ହେଲେ ରାସ୍ତାରୁ ମୋରମ୍‌ ଧୋଇଯାଇ ପୁଣି କାଦୁଅରେ ପରିଣତ ହେଉଛି। ନିମ୍ନମାନର ମୋରମ୍‌ ବ୍ୟବହାର ଯୋଗୁଁ ଏଭଳି ସମସ୍ୟା ହେଉଥିବା ମଧ୍ୟ ସାହିବାସୀ ଅଭିଯୋଗ କରିଛନ୍ତି।

ପ୍ରତିବର୍ଷ ରାସ୍ତା ମରାମତି ନାମରେ ଅର୍ଥ ଖର୍ଚ୍ଚ ହେଉଥିଲେ ମଧ୍ୟ ସ୍ଥାୟୀ ସମାଧାନ ହେଉନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ରାସ୍ତା ମରାମତି କାମରେ କେବଳ ବିଲ୍‌ ପ୍ରସ୍ତୁତ ହେଉଛି, କିନ୍ତୁ ଲୋକଙ୍କ ସମସ୍ୟା ଦୂର ହେଉନାହିଁ ବୋଲି କିଛି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।

ଏହି ରାସ୍ତାକୁ ପିଚୁ କିମ୍ବା କଂକ୍ରିଟ୍‌ କରିବା ପାଇଁ ସାହିବାସୀ ବାରମ୍ବାର ପ୍ରଶାସନ ନିକଟରେ ଦାବି ଜଣାଇ ଆସୁଛନ୍ତି। ହେଲେ ଏଥିପ୍ରତି ଆବଶ୍ୟକ ଗୁରୁତ୍ୱ ଦିଆଯାଉନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ସାହିର ମୁଖ୍ୟ ସମସ୍ୟା ଭାବେ ରାସ୍ତା ସମସ୍ୟା ରହିଥିବା ବେଳେ ନିର୍ବାଚନ ସମୟରେ ଜନପ୍ରତିନିଧିମାନେ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସମସ୍ୟାର ସ୍ଥାୟୀ ସମାଧାନ ହେଉନଥିବା ଅଭିଯୋଗ କରିଛନ୍ତି ସାହିବାସୀ।

ଲୋକଙ୍କ ଯାତାୟାତ ସୁବିଧା ଓ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପେଣ୍ଠବାହାଳ ନୂଆଁସାହି ରାସ୍ତାର ସ୍ଥାୟୀ ନିର୍ମାଣ ସହ ଶୀଘ୍ର ସମସ୍ୟାର ସମାଧାନ କରିବାକୁ ସ୍ଥାନୀୟ ଲୋକେ ପ୍ରଶାସନ ନିକଟରେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *