• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ପ୍ରାଣୀ ଚିକିତ୍ସାଳୟ ପାଲଟିଛି ଭୂତକୋଠି, ଭଡ଼ା ଘରେ ଚାଲିଛି ଚିକିତ୍ସା

Byodishri Live

Sep 26, 2026

ବରୀ (ଓଡ଼ିଶ୍ରୀ ସମ୍ବାଦ): ସରକାରୀ ଅର୍ଥରେ ନିର୍ମିତ ପ୍ରାଣୀ ଚିକିତ୍ସାଳୟ ଗୃହ ଦୀର୍ଘଦିନ ଧରି ଅବ୍ୟବହୃତ ହୋଇ ପଡ଼ିଥିବା ବେଳେ ଭଡ଼ା ଘରେ ଚାଲିଛି ବରୀ ପ୍ରାଣୀ ଚିକିତ୍ସାଳୟ। ଏଥିପାଇଁ ସରକାରଙ୍କ ପକ୍ଷରୁ ନିୟମିତ ଭାବେ ଭଡ଼ା ବାବଦରେ ଅର୍ଥ ଖର୍ଚ୍ଚ ହେଉଥିବା ଅଭିଯୋଗ ହୋଇଛି। ବରୀ ବ୍ଲକରେ ଏଭଳି ଏକ ବିଚିତ୍ର ସ୍ଥିତିକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

ବହୁ ବର୍ଷ ଧରି ବରୀ ମାଉଣ୍ଡ ଉପରେ ପ୍ରାଣୀ ଚିକିତ୍ସାଳୟ ଚାଲିଆସୁଥିବା ବେଳେ ନେଉଳା ନିକଟସ୍ଥ ଏକ ସରକାରୀ ଜମିରେ ପ୍ରାୟ ୧୦ ବର୍ଷ ତଳେ ନୂଆ ପ୍ରାଣୀ ଚିକିତ୍ସାଳୟ ଗୃହ ନିର୍ମାଣ କରାଯାଇଥିଲା। ତେବେ ନିର୍ମାଣ ପରେ ମଧ୍ୟ ଚିକିତ୍ସାଳୟକୁ ଉକ୍ତ ସରକାରୀ ଗୃହକୁ ସ୍ଥାନାନ୍ତର କରାଯାଇନଥିବା ଅଭିଯୋଗ ରହିଛି।

ଏକପଟେ ଚିକିତ୍ସାଳୟ ଚଳାଇବା ପାଇଁ ଭଡ଼ା ଦିଆଯାଉଥିବା ବେଳେ ଅନ୍ୟପଟେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ସରକାରୀ ଗୃହ ଦୀର୍ଘଦିନ ଧରି ଅବ୍ୟବହୃତ ହୋଇ ଧୀରେ ଧୀରେ ଜରାଜୀର୍ଣ୍ଣ ହେବାକୁ ବସିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଉକ୍ତ ପରିତ୍ୟକ୍ତ ଗୃହ ପରିସରରେ ଦିନରାତି ମଦ୍ୟପାନ କରୁଥିବା ଲୋକଙ୍କ ଆଡ୍ଡା ଜମୁଛି। ବିଶେଷକରି ସନ୍ଧ୍ୟା ସମୟରେ ଏଠାରେ ଯୁବକମାନେ ମଦ୍ୟପାନ କରୁଥିବା ଅଭିଯୋଗ ହୋଇଛି।

ବର୍ଷ ବର୍ଷ ଧରି ଗୃହଟି ନିର୍ମାଣ ହୋଇ ଅବ୍ୟବହୃତ ରହିବା ସତ୍ତ୍ୱେ କାହିଁକି ଚିକିତ୍ସାଳୟକୁ ସେଠାକୁ ସ୍ଥାନାନ୍ତର କରାଯାଉନାହିଁ, ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

ଏନେଇ ବରୀ ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଭକ୍ତ ଚରଣ ସେଠୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ନୂଆ ଗୃହରେ ବିଦ୍ୟୁତ ସଂଯୋଗ ନଥିବାରୁ ଚିକିତ୍ସାଳୟକୁ ସେଠାକୁ ସ୍ଥାନାନ୍ତର କରାଯାଇପାରୁନାହିଁ। ବିଦ୍ୟୁତ ସଂଯୋଗ ପାଇଁ ପଦକ୍ଷେପ ନିଆଯାଉଥିବା ସେ ସୂଚନା ଦେଇଛନ୍ତି।

ତୁରନ୍ତ ଭଡ଼ା ଘରେ ଚାଲୁଥିବା ପ୍ରାଣୀ ଚିକିତ୍ସାଳୟକୁ ସରକାରୀ ଗୃହକୁ ସ୍ଥାନାନ୍ତର କରିବା ସହ ଅବ୍ୟବହୃତ ଗୃହର ସୁରକ୍ଷା ଓ ରକ୍ଷଣାବେକ୍ଷଣ ପାଇଁ ପଦକ୍ଷେପ ନେବାକୁ ଯୁବନେତା ଉମେଶ ଦାସ, ଅଶୋକ କୁମାର ଦାସ, ଅଧୀର କୁମାର ଜେନା ଓ ମହେଶ୍ୱର ବେହେରା ପ୍ରମୁଖ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *