କେନ୍ଦୁଝର (ଓଡ଼ିଶ୍ରୀ ସମ୍ବାଦ): କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ସତ୍ୟନାରାୟଣ ବିଦ୍ୟାପୀଠ ପରିସରରେ ଜିଲ୍ଲାସ୍ତରୀୟ ଚେସ୍ ଓ ଯୋଗ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ।
ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତାରାଣୀ ସାହୁ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ। ମୁଖ୍ୟଅତିଥି ଭାବେ ଜିଲ୍ଲା ସାଂସଦଙ୍କ ପ୍ରତିନିଧି ଅଖିଳ କୁମାର ପାତ୍ର ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଟିକିରା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଭ୍ରମରବର ମଲ୍ଲିକ ଯୋଗଦେଇଥିଲେ।
ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପଞ୍ଚସଖା ଶିକ୍ଷାସେତୁର ସଭାପତି ସଞ୍ଜୟ କୁମାର ସାହୁ, ସ୍ଥାନୀୟ ସରପଞ୍ଚ ଖଈର ନାୟକ, ଢେଙ୍କିକୋଟ ସରକାରୀ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମିତାରାଣୀ ନାଏକ, ସିଆରସିସି ଜିତେନ୍ଦ୍ର କୁମାର ଗିରି ଓ କ୍ରୀଡ଼ାର ସାଧାରଣ ସମ୍ପାଦକ ପ୍ରସନ୍ନ କୁମାର ବେହେରା ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ସଞ୍ଜୟ କୁମାର ସାହୁ ପରିଚାଳନା କରିଥିଲେ।
ଏହି ଅବସରରେ ଅତିଥିମାନେ କ୍ରୀଡ଼ାର ଗୁରୁତ୍ୱ ସହିତ ଶିକ୍ଷା କ୍ଷେତ୍ରରେ କ୍ରୀଡ଼ାର ଭୂମିକା ଉପରେ ଆଲୋକପାତ କରିଥିଲେ।
ଦ୍ୱିତୀୟ ଅଧିବେଶନରେ ଜିଲ୍ଲା ସାଂସଦ ଅନନ୍ତ ନାୟକ, ବିଜେପି ମଣ୍ଡଳ ସଭାପତି ରଞ୍ଜିତ କୁମାର ନାୟକ ଓ ରାମଚନ୍ଦ୍ର ସାହୁ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଛାତ୍ରଛାତ୍ରୀମାନେ ଜାତୀୟସ୍ତରରେ ନିଜ ପ୍ରତିଭାର ବିକାଶ କରିବା ଦିଗରେ ଉଦ୍ୟମ କରିବାକୁ ସେମାନେ ପରାମର୍ଶ ଦେଇଥିଲେ।
ପ୍ରତିଯୋଗିତାରେ ଚେସ୍ରେ ୩୩ ଜଣ ଏବଂ ଯୋଗରେ ୪୦ ଜଣ ଛାତ୍ରଛାତ୍ରୀଙ୍କ ସମେତ ମୋଟ ୭୩ ଜଣ ଅଂଶଗ୍ରହଣ କରିଥିଲେ। ଢେଙ୍କିକୋଟ ସତ୍ୟନାରାୟଣ ବିଦ୍ୟାପୀଠର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
