ବାଲେଶ୍ୱର: (ଓଡ଼ିଶ୍ରୀ ସମ୍ବାଦ) ବାଲେଶ୍ୱର ମୋତିଗଞ୍ଜସ୍ଥିତ ରାଜସ୍ଥାନ ଭବନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଓଡ଼ିଶା ପୂର୍ବ ପ୍ରାନ୍ତର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ବୈଠକରେ ପ୍ରାୟ ୧୨୦ ଜଣ ପ୍ରମୁଖ କାର୍ଯ୍ୟକର୍ତ୍ତା ଯୋଗଦେବେ ବୋଲି ଏବିଭିପି ପକ୍ଷରୁ ସୂଚନା ଦିଆଯାଇଛି।
ବୈଠକରେ ରାଜ୍ୟର ବର୍ତ୍ତମାନର ଶୈକ୍ଷିକ ଓ ସାମାଜିକ ପରିସ୍ଥିତି ସମେତ ଶିକ୍ଷା, ସାମାଜିକ ପ୍ରସଙ୍ଗ, ସୁରକ୍ଷା, ଆର୍ଥିକ ଓ ସମସାମୟିକ ବିଷୟ ଉପରେ ଆଲୋଚନା ହେବ। ଏହି ପ୍ରସଙ୍ଗଗୁଡ଼ିକୁ ନେଇ ବିଭିନ୍ନ ପ୍ରସ୍ତାବ ମଧ୍ୟ ପାରିତ ହେବ ବୋଲି କୁହାଯାଇଛି।
ଆଗାମୀ କଲେଜ ଓ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନକୁ ନେଇ ମଧ୍ୟ ବୈଠକରେ ଆଲୋଚନା ହେବ। ବିଭିନ୍ନ କ୍ୟାମ୍ପସର ଛାତ୍ରଛାତ୍ରୀଙ୍କ ସମସ୍ୟା, ନିର୍ବାଚନ ପ୍ରସ୍ତୁତି ଓ ଆଗାମୀ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରାଯିବ ବୋଲି ଏବିଭିପି ପକ୍ଷରୁ କୁହାଯାଇଛି।
ଏଥିସହ ସଂଗଠନର ସାଙ୍ଗଠନିକ ସ୍ଥିତି, ବିସ୍ତାର ଓ ସୁଦୃଢ଼ୀକରଣ ନେଇ ସମୀକ୍ଷା କରାଯିବ। ସେପ୍ଟେମ୍ବର ୨୮ରେ ଶୁଭେଚ୍ଛୁ, ପୁରାତନ ଓ ସ୍ଥାନୀୟ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଏକ ସ୍ୱତନ୍ତ୍ର ବୈଠକ ମଧ୍ୟ ହେବ ବୋଲି ସୂଚନା ମିଳିଛି।
ସାମ୍ବାଦିକ ସମ୍ମିଳନୀରେ ଏବିଭିପି ଓଡ଼ିଶା ପୂର୍ବର ରାଜ୍ୟ ସହ-ସମ୍ପାଦକ ଉଜ୍ଜ୍ୱଳ ପ୍ରଦୀପ ସାମଲ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ କ୍ଷୀରୋଦ ପଣ୍ଡା ଓ ଜ୍ୟୋତିରେଖା ଭୂୟାଁ, ପ୍ରାନ୍ତ ଗଣମାଧ୍ୟମ ସହ-ସଂଯୋଜକ ଓମକାର ମହାନ୍ତି ଏବଂ ବାଲେଶ୍ୱର ଜିଲ୍ଲା ସଂଯୋଜକ ଜୀତମ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।
