• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ବନ୍ୟା ବିପନ୍ନଙ୍କ ପାଖରେ ଶୁଖିଲା ଖାଦ୍ୟ ଓ ପାଣି ପହଞ୍ଚାଇଲେ ପ୍ରଣବ

Byodishri Live

Sep 26, 2026

ଦଶରଥପୁର (ଓଡ଼ିଶ୍ରୀ ସମ୍ବାଦ):

ବୈତରଣୀ ନଦୀରେ ପୁଣିଥରେ ବନ୍ୟା ଆସିବା ପରେ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକର ବିଭିନ୍ନ ଅଞ୍ଚଳ ପ୍ରଭାବିତ ହୋଇଛି। ତରପଦା ପଞ୍ଚାୟତ ଅନ୍ତର୍ଗତ ଡୋବାବିଲ ପାଟଣା ନିକଟ କାଣି ନଦୀରେ ମରାମତି ହୋଇଥିବା ଘାଇ ପୁଣି ଭାଙ୍ଗିଯିବାରୁ ତରପଦା, ମଲ୍ଲିକାପୁର, ଜୟନ୍ତରା, ଛଞ୍ଚିଣା, କସ୍ପା, ଦୁଦୁରାଅଣ୍ଟା, ମଙ୍ଗଳପୁର, ଶୁଶୁଆ, ନିଜାମପୁର ଓ ଥାଲକୂଡ଼ି ଆଦି ଅଞ୍ଚଳରେ ବନ୍ୟାଜଳ ପଶିଥିବା ସୂଚନା ମିଳିଛି।

ଦୀର୍ଘଦିନ ଧରି ବନ୍ୟା ଘେରରେ ରହିବା ପରେ କିଛି ପରିବାର ଘରକୁ ଫେରିଥିବା ବେଳେ ପୁଣି ଘାଇ ଭାଙ୍ଗିବାରୁ ସେମାନଙ୍କ ଦୁର୍ଦ୍ଦଶା ବଢ଼ିଛି। ଅନେକ ପରିବାର ନଦୀବନ୍ଧ ଓ ସ୍କୁଲ ଘରେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି।

ବନ୍ୟା ଆସିବାର ପ୍ରାୟ ୩୬ ଘଣ୍ଟା ପରେ ମଧ୍ୟ ପ୍ରଭାବିତଙ୍କ ପାଇଁ ଆବଶ୍ୟକ ବ୍ୟବସ୍ଥା ହୋଇନଥିବା ନେଇ କିଛି ବନ୍ୟା ବିପନ୍ନ ଅସନ୍ତୋଷ ପ୍ରକାଶ କରିଥିବା ଜଣାପଡ଼ିଛି।

ଏହି ସମୟରେ ପୂର୍ବତନ ମନ୍ତ୍ରୀ ତଥା ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ସେ ଅହିୟାସ ବଜାର ଦେଇ ବନ୍ୟାଜଳ ମଧ୍ୟରେ କସ୍ପା, ମଲ୍ଲିକାପୁର, ତରପଦା, ଜୟନ୍ତରା ଓ ଛଞ୍ଚିଣା ଆଦି ପଞ୍ଚାୟତରେ ପହଞ୍ଚି ବନ୍ୟା ବିପନ୍ନଙ୍କ ସହ ଆଲୋଚନା କରି ସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ।

ଏଥିସହ ସେ ବନ୍ୟା ବିପନ୍ନଙ୍କ ପାଇଁ ଶୁଖିଲା ଖାଦ୍ୟ ଓ ପାଣି ବୋତଲ ନେଇ ବିଭିନ୍ନ ପ୍ରଭାବିତ ଅଞ୍ଚଳରେ ପହଞ୍ଚାଇଥିଲେ। ବନ୍ୟା ପରିସ୍ଥିତି ଦୃଷ୍ଟିରୁ ଲୋକଙ୍କୁ ନିରାପଦ ସ୍ଥାନକୁ ଯିବାକୁ ସେ ପରାମର୍ଶ ଦେଇଥିଲେ।

ପରେ ଡୋବାବିଲ ପାଟଣା ନିକଟ କାଣି ନଦୀର ଘାଇ ଅଞ୍ଚଳ ପରିଦର୍ଶନ କରି ପ୍ରଣବ ପ୍ରକାଶ ଦାସ ସ୍ଥିତି ଅନୁଧ୍ୟାନ କରିଥିଲେ। ବନ୍ୟା ବିପନ୍ନଙ୍କୁ ତୁରନ୍ତ ଆବଶ୍ୟକ ସହାୟତା ଯୋଗାଇବା ସହ ଘାଇ ମରାମତି ନେଇ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *