• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ରାସନ ସାମଗ୍ରୀ ବଣ୍ଟନରେ ଅନିୟମିତତା ଅଭିଯୋଗ

Byodishri Live

Sep 28, 2026

ବରୀ (ଓଡ଼ିଶ୍ରୀ ସମ୍ବାଦ): ଗରିବ ହିତାଧିକାରୀଙ୍କ ରାସନ ସାମଗ୍ରୀ ବଣ୍ଟନରେ ଅନିୟମିତତା ଏବଂ ନୂଆ ରାସନ କାର୍ଡ କରାଇବା ପାଇଁ ଅର୍ଥ ଆଦାୟ ଅଭିଯୋଗ ଆସିଛି। ବରୀ ବ୍ଲକ ଅନ୍ତର୍ଗତ ବାଇଁସିରିଆ ପଞ୍ଚାୟତରେ ଏଭଳି ଅଭିଯୋଗକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ହିତାଧିକାରୀଙ୍କ ଅଭିଯୋଗ ଅନୁଯାୟୀ, ରାସନ ବଣ୍ଟନ ଦାୟିତ୍ୱରେ ଥିବା ଡିଲର ରଞ୍ଜିତ ସାହୁ ପ୍ରତ୍ୟେକ ପରିବାରକୁ ମିଳୁଥିବା ୨୫ କିଲୋ ଚାଉଳରୁ ୫ କିଲୋ କାଟି ୨୦ କିଲୋ ଚାଉଳ ଦେଉଛନ୍ତି। ଏଥିସହ ନୂଆ ରାସନ କାର୍ଡ କରାଇବା ପାଇଁ ୧୦୦ ଟଙ୍କା ଲେଖାଏଁ ନିଆଯାଉଥିବା ମଧ୍ୟ ଅଭିଯୋଗ ହୋଇଛି।

କେତେକ ହିତାଧିକାରୀ ଏହାର ବିରୋଧ କରିବାରୁ ସେମାନଙ୍କୁ ରାସନ କାର୍ଡ କାଟିଦେବାର ଧମକ ଦିଆଯାଉଥିବା ଅଭିଯୋଗ ରହିଛି। ଏହି ଘଟଣା ସମ୍ପର୍କରେ ପୂର୍ବରୁ ବହୁବାର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ଠୋସ୍‌ ପଦକ୍ଷେପ ନିଆଯାଇନଥିବା ହିତାଧିକାରୀମାନେ କହିଛନ୍ତି।

ଫଳରେ ଅନେକ ହିତାଧିକାରୀ ବାଧ୍ୟ ହୋଇ ୨୦ କିଲୋ ଚାଉଳ ନେବା ସହ ନୂଆ ରାସନ କାର୍ଡ ପାଇଁ ଅର୍ଥ ଦେଉଥିବା ଅଭିଯୋଗ କରିଛନ୍ତି। ଏହାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି।

ଘଟଣାର ତଦନ୍ତ କରି ଅଭିଯୋଗର ସତ୍ୟତା ଯାଞ୍ଚ କରିବା ସହ ଦୋଷୀଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନେବାକୁ ହିତାଧିକାରୀମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି। ତେବେ ଏହି ଅଭିଯୋଗ ସମ୍ପର୍କରେ ସମ୍ପୃକ୍ତ ଡିଲର କିମ୍ବା ପ୍ରଶାସନର ପକ୍ଷ ଜଣାପଡ଼ିନାହିଁ।

Spread the love

Leave a Reply

Your email address will not be published. Required fields are marked *