• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଜବରଦଖଲ ଉଚ୍ଛେଦକୁ ଡରୁଛି ପ୍ରଶାସନ!

Byodishri Live

Oct 2, 2026

ବରୀ, ୨/୧୦ (ଓଡ଼ିଶ୍ରୀ ସମ୍ବାଦ): ବରୀ ବ୍ଲକର ବିଭିନ୍ନ ସ୍ଥାନରେ ଜବରଦଖଲ ଯୋଗୁଁ ଟ୍ରାଫିକ ସମସ୍ୟା ଗୁରୁତର ହୋଇପଡ଼ିଥିବା ଅଭିଯୋଗ ହୋଇଛି। ବିଭିନ୍ନ ଛକରେ ରାସ୍ତାକଡ଼ ଓ ରାସ୍ତା ଉପରକୁ ଜବରଦଖଲ ବଢ଼ିବା ଯୋଗୁଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହେଉଥିବା ବେଳେ ବିଭିନ୍ନ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଥିବା ସ୍ଥାନୀୟ ଲୋକେ କହିଛନ୍ତି।

ବିଶେଷକରି ଟ୍ରାଫିକ ଜାମ୍‌ ଯୋଗୁଁ ଗୁରୁତର ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ମଧ୍ୟ ଅଟକି ରହୁଥିବା ଅଭିଯୋଗ ହୋଇଛି। ଏଭଳି ସ୍ଥିତିରେ ଜବରଦଖଲ ଉଚ୍ଛେଦ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉନଥିବାରୁ ସମସ୍ୟା ଦିନକୁ ଦିନ ବଢ଼ୁଥିବା ସ୍ଥାନୀୟ ଲୋକଙ୍କ ଅଭିଯୋଗ।

ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ବିଗତ ଦିନରେ ପ୍ରଶାସନ ପକ୍ଷରୁ କେତେକ ସ୍ଥାନରେ ଜବରଦଖଲ ଉଚ୍ଛେଦ କରାଯାଇଥିଲା। ତେବେ ସେହି ସ୍ଥାନଗୁଡ଼ିକରେ ପୁଣି ଜବରଦଖଲ ହୋଇଥିବା ଅଭିଯୋଗ ହେଉଛି। ଏବେ ଅନେକ ସ୍ଥାନରେ ରାସ୍ତା ଉପର ପର୍ଯ୍ୟନ୍ତ ଜବରଦଖଲକାରୀମାନେ ମାଡ଼ି ଆସିଥିବା କୁହାଯାଉଛି।

ବରୁଆଁଠାରୁ ବରୀ ମାଉଣ୍ଡ ପର୍ଯ୍ୟନ୍ତ ରାସ୍ତାର ବରୁଆଁ, ସୁଜନପୁର, ସାହସପୁର, ଶିବାଛକ, ବାଲିଆପାଳ ଓ ସନ୍ଥନ ଛକ ସମେତ ବିଭିନ୍ନ ପ୍ରମୁଖ ଛକରେ ଜବରଦଖଲ ଯୋଗୁଁ ରାସ୍ତା ସଙ୍କୁଚିତ ହେଉଥିବା ଅଭିଯୋଗ ରହିଛି। ଏହାଫଳରେ ଯାତାୟାତ ସମସ୍ୟା ସହ ସାଧାରଣ ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଜବରଦଖଲ ଉଚ୍ଛେଦ ନେଇ ପ୍ରଶାସନ ପକ୍ଷରୁ କାହିଁକି ନିୟମିତ ପଦକ୍ଷେପ ନିଆଯାଉନାହିଁ, ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। କେତେକ ବୁଦ୍ଧିଜୀବୀଙ୍କ ମତରେ, ଜବରଦଖଲ ଉଚ୍ଛେଦ ନହେବା ପଛରେ ପ୍ରଶାସନିକ ନିଷ୍କ୍ରିୟତା ରହିଛି। ତେବେ ଏନେଇ ପ୍ରଶାସନର ପକ୍ଷ ଜଣାପଡ଼ିନାହିଁ।

ସାଧାରଣ ଲୋକଙ୍କ ଯାତାୟାତ ସୁବିଧା ଓ ଜରୁରୀକାଳୀନ ସେବାକୁ ଦୃଷ୍ଟିରେ ରଖି ଜବରଦଖଲ ଚିହ୍ନଟ କରି ଶୀଘ୍ର ଉଚ୍ଛେଦ କରିବା ସହ ପୁନର୍ବାର ଜବରଦଖଲ ରୋକିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *