ବରୀ, (ଓଡ଼ିଶ୍ରୀ ସମ୍ବାଦ): ବରୀ ବ୍ଲକ ଦେଇ ପ୍ରବାହିତ ତନ୍ତୀଘାଇ ନଦୀର ଶାଖା ନୂଆନଦୀରୁ ଏକ ବଉଳା କୁମ୍ଭୀର ଉଦ୍ଧାର ହୋଇଛି। ଯାଜପୁର ବନବିଭାଗ ପକ୍ଷରୁ କୁମ୍ଭୀରଟିକୁ ଉଦ୍ଧାର କରାଯାଇ ସୁରକ୍ଷିତ ଭାବେ ଭିତରକନିକାରେ ଛାଡ଼ି ଦିଆଯାଇଛି।
ସୂଚନା ଅନୁଯାୟୀ, ବରୀ ବ୍ଲକ ବାଲିବିଲି ପଞ୍ଚାୟତର ଜଣେ ବ୍ୟକ୍ତି ନୂଆନଦୀରେ ବଂଶୀଛଡ଼ ବସାଇଥିଲେ। ସକାଳେ ଛଡ଼ ଉଠାଇବା ସମୟରେ କଣ୍ଟାରେ ଏକ କୁମ୍ଭୀର ଲାଗିଥିବା ଦେଖିଥିଲେ। ପରେ ତାକୁ ସୁରକ୍ଷିତ ଭାବେ କଣ୍ଟାରୁ ବାହାର କରି ଘରକୁ ଆଣିଥିଲେ। ଖବର ପ୍ରଚାର ପରେ କୁମ୍ଭୀରଟିକୁ ଦେଖିବାକୁ ଶହ ଶହ ଲୋକଙ୍କ ଭିଡ଼ ଜମିଥିଲା।
ଖବର ପାଇ ଯାଜପୁର ବନବିଭାଗର ରେଞ୍ଜର ପ୍ରସନ୍ନ କୁମାର ସାହୁ, ଏସିଏଫ୍ ମାନସ କୁମାର ଦାସ, ବନପାଳ ସାବିତ୍ରୀ ଦାସ, ଦକ୍ଷିଣ ସୋରେନ, ସ୍କ୍ୱାଡ୍ ସଦସ୍ୟ ତ୍ରିଲୋଚନ ଦାସ, ରାଜୀବ ଲୋଚନ ନାଥ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ।
ବନବିଭାଗ ସୂଚନା ଅନୁଯାୟୀ, ଉଦ୍ଧାର ହୋଇଥିବା ବଉଳା କୁମ୍ଭୀରଟିର ଲମ୍ବ ପ୍ରାୟ ୪ ଫୁଟ୍ ଏବଂ ବୟସ ପ୍ରାୟ ୧ ବର୍ଷ। ପରେ ବନବିଭାଗର ଟିମ୍ ସ୍ୱତନ୍ତ୍ର ଗାଡ଼ିରେ କୁମ୍ଭୀରଟିକୁ ଭିତରକନିକା ନେଇ ସୁରକ୍ଷିତ ଭାବେ ଛାଡ଼ିଥିଲେ।
