• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଜୟ ଶ୍ରୀରାମ’ ଉଚ୍ଚାରଣ ମଧ୍ୟରେ ନାଟକ ମଞ୍ଚରେ ହନୁଙ୍କ ଆବିର୍ଭାବ, କଳାକାରଙ୍କ ପିଠିରେ ବସିଲା ମାଙ୍କଡ଼

Byodishri Live

Oct 12, 2026

କେନ୍ଦୁଝର, (ଓଡ଼ିଶ୍ରୀ ସମ୍ବାଦ): ‘ଜୟ ଶ୍ରୀରାମ’ ଧ୍ୱନି ଓ ବାଦ୍ୟସଙ୍ଗୀତ ମଧ୍ୟରେ ପଥପ୍ରାନ୍ତ ନାଟକ ଚାଲିଥିବା ବେଳେ ହଠାତ୍‌ ଏକ ହନୁ ମାଙ୍କଡ଼ର ଆବିର୍ଭାବ। କିଛି ସମୟ ଧରି ନାଟକ ପରିବେଷଣ କରୁଥିବା କଳାକାରଙ୍କ ସହ ରହିବା ଓ ବିଭିନ୍ନ କ୍ରିୟାକଳାପ କରିବା ଘଟଣା ଉପସ୍ଥିତ ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା। କେନ୍ଦୁଝର ଜିଲ୍ଲାର ଚମ୍ପୁଆ ବିଧାନସଭା କ୍ଷେତ୍ର ଅନ୍ତର୍ଗତ ଜ୍ୟୋତିପୁରଠାରେ ଏଭଳି ଏକ ଘଟଣା ଘଟିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନଠାରୁ ଏକ ମାସ ଧରି ସରକାରୀ ସ୍ତରରେ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ଚାଲିଥିଲା। ଏହି କ୍ରମରେ ବିଭିନ୍ନ ସାଂସ୍କୃତିକ ସଂଗଠନ ପକ୍ଷରୁ ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯାଉଥିଲା।

କେନ୍ଦୁଝର ସହରର କରଞ୍ଜିଆ ବସ୍‌ଷ୍ଟାଣ୍ଡ ନିକଟସ୍ଥ ‘ସାଇ ତାରିଣୀ ଗ୍ରୁପ୍‌’ ପକ୍ଷରୁ କେନ୍ଦୁଝର ସଦର, ଚମ୍ପୁଆ, ଘଟଗାଁ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ସଫଳତାର ସହ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଉଥିଲା। ବରିଷ୍ଠ କଳାକାରମାନେ ନାଟକ, ସଙ୍ଗୀତ ଓ ବାଦ୍ୟଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରୁଥିବାରୁ ଏହାକୁ ଦେଖିବା ପାଇଁ ଦର୍ଶକଙ୍କ ଭିଡ଼ ଜମୁଥିଲା।

ଜ୍ୟୋତିପୁରଠାରେ ନାଟକ ପରିବେଷଣ ଚାଲିଥିବା ବେଳେ ଏକ ଜଙ୍ଗଲୀ ହନୁ ମାଙ୍କଡ଼ ଆସି ସେଠାରେ ପଡ଼ିଥିବା ଦରି ଉପରେ ଶାନ୍ତ ଭାବେ ବସି ରହିଥିଲା। ଏହି ସମୟରେ ବାଦ୍ୟକାର ପପୁ ଓରଫ୍‌ ଲକ୍ଷ୍ମୀଚରଣ ବାରିକ ଢୋଲକ ବଜାଉଥିବା ବେଳେ ମାମା, ମନୀଷା ଓ ପ୍ରତିମା ସଙ୍ଗୀତ ପରିବେଷଣ କରିବା ସହ ‘ଜୟ ଶ୍ରୀରାମ’ ଗାନ କରୁଥିଲେ।

ଏହି ସମୟରେ ହନୁ ମାଙ୍କଡ଼ଟି ହଠାତ୍‌ ଉଠି ବାଦ୍ୟକାର ଲକ୍ଷ୍ମୀଚରଣ ବାରିକଙ୍କ ପିଠି ଉପରେ ବସିପଡ଼ିଥିଲା। ଏପରିକି ତାଙ୍କ ବାଦ୍ୟ ବଜାଉଥିବା ହାତକୁ ଧରି ବିଭିନ୍ନ ପ୍ରକାର ଚଳପ୍ରଚଳ କରିଥିଲା। ତେବେ ଦୀର୍ଘ ସମୟ ଧରି ସେଠାରେ ରହିଥିଲେ ମଧ୍ୟ ହନୁଟି କାହାର କୌଣସି କ୍ଷତି କରିନଥିଲା। ନାଟକ ଶେଷ ହେବା ପରେ ଏହା ସେଠାରୁ ଚାଲିଯାଇଥିଲା।

ଏହି ଘଟଣା ଦେଖି ଉପସ୍ଥିତ କଳାକାର ଓ ଦର୍ଶକ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ବରିଷ୍ଠ କଳାକାର ନାଥ ବାବୁ, ଚନ୍ଦ୍ରିକା, ମଳୟ, ରୁଦ୍ର, ଦେବବ୍ରତ ଓ ରାଣୀଙ୍କ ସମେତ ଅନ୍ୟ କଳାକାରମାନେ ଉପସ୍ଥିତ ଥିଲେ।

ସାଇ ତାରିଣୀ ଗ୍ରୁପ୍‌ର ଗୁରୁ ପ୍ରଫୁଲ୍ଲ କୁମାର ସାହୁ ଏହି ଘଟଣାକୁ ଭଗବାନଙ୍କ ଲୀଳା ବୋଲି କହିଥିଲେ। ପ୍ରଥମେ କଳାକାରମାନେ ନିଜ ସୁରକ୍ଷାକୁ ନେଇ ଭୟଭୀତ ହୋଇଥିଲେ ମଧ୍ୟ ପରେ ସବୁକିଛି ଠିକ୍‌ଠାକ୍‌ ରହିଥିବା ସେ ପ୍ରକାଶ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *